ନ୍ୟୁଜ ଡେକ୍ସ : କୋଭିଡ୍-୧୯ ମହାମାରୀର ଭୟାବହତା ପରେ ଏବେ ହାନ୍ତାଭାଇରସ୍କୁ ନେଇ ସାରା ବିଶ୍ୱରେ ଚିନ୍ତା ବଢ଼ିଛି । ଏକ ବିଳାସପୂର୍ଣ୍ଣ କ୍ରୁଜ୍ ସିପ୍ରେ ଏହି ସଂକ୍ରମଣ ଯୋଗୁଁ ୩ ଜଣଙ୍କ ମୃତ୍ୟୁ ଘଟିବା ପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) ପକ୍ଷରୁ ସ୍ପଷ୍ଟୀକରଣ ଜାରି କରାଯାଇଛି । ତେବେ ଡବ୍ଲ୍ୟୁଏଚଓ ସ୍ପଷ୍ଟ କରିଛି ଯେ ସାଧାରଣ ଲୋକଙ୍କ ପାଇଁ ଏହି ବିପଦ ବହୁତ କମ୍ ରହିଛି ଏବଂ ଆତଙ୍କିତ ହେବାର ଆବଶ୍ୟକତା ନାହିଁ ।
ଡବ୍ଲ୍ୟୁଏଚଓ ଅନୁସାରେ, ହାନ୍ତାଭାଇରସ୍ ସାଧାରଣତଃ ମୂଷାଙ୍କ ଲାଳ, ପରିସ୍ରା କିମ୍ବା ମଳ ସଂସ୍ପର୍ଶରେ ଆସିଲେ ବ୍ୟାପିଥାଏ । ଶୁଖିଲା ମୂଷା ମଳ କିମ୍ବା ପରିସ୍ରାର ଧୂଳିକଣା ନିଶ୍ୱାସ ସହ ଶରୀରକୁ ପ୍ରବେଶ କଲେ ସଂକ୍ରମଣ ହୋଇପାରେ । କୋଭିଡ୍-୧୯ ଭଳି ଏହା ଜଣଙ୍କଠାରୁ ଅନ୍ୟଜଣକୁ ସହଜରେ ବ୍ୟାପୁନଥାଏ । କେବଳ ‘ଆଣ୍ଡିସ୍’ ନାମକ ଏକ ବିଶେଷ ଷ୍ଟ୍ରେନ୍ ଅତ୍ୟନ୍ତ ନିକଟ ସମ୍ପର୍କରେ ଥିବା ଲୋକଙ୍କ ମଧ୍ୟରେ ସଂକ୍ରମିତ ହେବାର ସମ୍ଭାବନା ରହିଛି ।ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ହାନ୍ତାଭାଇରସ୍ର ମୃତ୍ୟୁ ହାର କୋଭିଡ୍ଠାରୁ ଅଧିକ ରହିଛି । କୋଭିଡ୍ରେ ମୃତ୍ୟୁ ହାର ପ୍ରାୟ ୧ରୁ ୩ ପ୍ରତିଶତ ଥିବାବେଳେ ହାନ୍ତାଭାଇରସ୍ରେ ଏହା ୩୦ରୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ହୋଇପାରେ । ତେବେ ଏହାର ସଂକ୍ରମଣ ସୀମିତ ଅଞ୍ଚଳରେ ହିଁ ଦେଖାଯାଏ ।ଏହି ରୋଗରେ ପ୍ରଥମେ ଜ୍ୱର, ମୁଣ୍ଡବିନ୍ଧା ଓ ମାଂସପେଶୀରେ ଯନ୍ତ୍ରଣା ଦେଖାଦେଇଥାଏ ।
ପରେ ଶ୍ୱାସକ୍ରିୟାରେ ଗୁରୁତର ସମସ୍ୟା ସୃଷ୍ଟି ହୋଇପାରେ । ବର୍ତ୍ତମାନ ପର୍ଯ୍ୟନ୍ତ ଏହାର କୌଣସି ନିର୍ଦ୍ଦିଷ୍ଟ ଟିକା କିମ୍ବା ଆଣ୍ଟିଭାଇରାଲ୍ ଔଷଧ ଉପଲବ୍ଧ ନାହିଁ । ଲକ୍ଷଣ ଅନୁଯାୟୀ ରୋଗୀଙ୍କୁ ହସ୍ପିଟାଲରେ ଆଇସିୟୁ ଚିକିତ୍ସା ଦିଆଯାଉଛି ।ଡବ୍ଲ୍ୟୁଏଚଓ ମୁଖ୍ୟ ଟେଡ୍ରୋସ୍ ଏ. ଘେବ୍ରିସିଏସ୍ ସାଧାରଣ ଲୋକଙ୍କୁ ସତର୍କ ରହିବା ସହ ଘର ଓ ଆଖପାଖ ସଫା ରଖିବାକୁ ପରାମର୍ଶ ଦେଇଛନ୍ତି । ମୂଷାଙ୍କଠାରୁ ଦୂରେଇ ରହିବା ଏବଂ ସଫାସୁଥା ଉପରେ ଗୁରୁତ୍ୱ ଦେବାକୁ ମଧ୍ୟ ସୁପାରିଶ କରାଯାଇଛି ।

