ନ୍ୟୁଜ ଡେକ୍ସ : ଆସନ୍ତା ୧୨ ଅଗଷ୍ଟ ୨୦୨୬ରେ ଆକାଶରେ ଏକ ଅତ୍ୟନ୍ତ ଦୁର୍ଲଭ ଏବଂ ଆକର୍ଷଣୀୟ ଖଗୋଳୀୟ ଦୃଶ୍ୟ ଦେଖିବାକୁ ମିଳିବ। ସେହିଦିନ ବଳୟକାର ସୂର୍ଯ୍ୟଗ୍ରହଣ ଲାଗିବ, ଯାହାକୁ ‘ରିଙ୍ଗ ଅଫ୍ ଫାୟାର’ ବୋଲି କୁହାଯାଏ। ଏହି ସମୟରେ ଚନ୍ଦ୍ର ସୂର୍ଯ୍ୟକୁ ସମ୍ପୂର୍ଣ୍ଣ ଭାବେ ଢାଙ୍କି ପାରିବ ନାହିଁ। ଫଳରେ ସୂର୍ଯ୍ୟର ଚାରିପାଖରେ ଏକ ଉଜ୍ଜ୍ୱଳ ଅଗ୍ନି ବଳୟ ପରି ଦୃଶ୍ୟ ସୃଷ୍ଟି ହେବ।
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ସୂର୍ଯ୍ୟଗ୍ରହଣ କର୍କଟ ରାଶି ଏବଂ ଅଶ୍ଳେଷା ନକ୍ଷତ୍ରରେ ଘଟିବ। ଏହାର ପ୍ରଭାବରେ ଲୋକଙ୍କ ମନୋଭାବରେ ଦ୍ରୁତ ପରିବର୍ତ୍ତନ ଆସିପାରେ ବୋଲି ଜ୍ୟୋତିଷମାନେ ମତ ପ୍ରକାଶ କରିଛନ୍ତି। ଅନେକ ଲୋକ ପୁରୁଣା ସମ୍ପର୍କ, ଅତୀତର ସ୍ମୃତି କିମ୍ବା ଭାବନାମୂଳକ ବିଷୟ ଉପରେ ଅଧିକ ଧ୍ୟାନ ଦେଇପାରନ୍ତି।ସୂଚନା ଅନୁଯାୟୀ, ଏହି ଗ୍ରହଣ ୧୨ ଅଗଷ୍ଟ ରାତି ୯ଟା ୪ ମିନିଟ୍ରେ ଆରମ୍ଭ ହେବ ଏବଂ ୧୩ ଅଗଷ୍ଟ ସକାଳ ୪ଟା ୨୫ ମିନିଟ୍ ପର୍ଯ୍ୟନ୍ତ ଚାଲିବ।
ଗ୍ରହଣର ମୁଖ୍ୟ ପର୍ଯ୍ୟାୟ ପ୍ରାୟ ୬ ମିନିଟ୍ ୨୩ ସେକେଣ୍ଡ ରହିବ ବୋଲି ଆକଳନ କରାଯାଇଛି। ଏହାକୁ ସବୁଠାରୁ ଦୀର୍ଘ ସମୟର ବଳୟକାର ସୂର୍ଯ୍ୟଗ୍ରହଣମାନଙ୍କ ମଧ୍ୟରୁ ଗୋଟିଏ ବୋଲି କୁହାଯାଉଛି। ତେବେ ଏହି ସୂର୍ଯ୍ୟଗ୍ରହଣ ଭାରତରେ ଦୃଶ୍ୟମାନ ହେବ ନାହିଁ। ସେହି କାରଣରୁ ସୂତକ କାଳ ମଧ୍ୟ ବୈଧ ହେବ ନାହିଁ। ଧାର୍ମିକ କାର୍ଯ୍ୟ, ପୂଜାପାଠ କିମ୍ବା ଦୈନନ୍ଦିନ କାମକାର୍ଯ୍ୟ ଉପରେ କୌଣସି ପ୍ରତିବନ୍ଧକ ରହିବ ନାହିଁ ବୋଲି ସୂଚନା ମିଳିଛି।

