ନ୍ୟୁଜ ଡେକ୍ସ : ମଗରେ ମୁଢ଼ି, ସହିତ ପିଆଜ, ଧନିଆପତ୍ର, ଟମାଟୋ, କଞ୍ଚାଲଙ୍କା ଓ ଲେମ୍ବୁରସର ମିଶ୍ରଣ ଏହି ସରଳ ପ୍ରସ୍ତୁତି ଆଜି ସୁଆଦିଆ ଝାଲମୁଢ଼ିକୁ ଦେଶବ୍ୟାପୀ ଚର୍ଚ୍ଚାରେ ଆଣିଛି। ରାସ୍ତା ପାଶ୍ୱରେ ଠିଆ ହୋଇ କଡ଼ମଡ଼ କରି ଏହାକୁ ଖାଇବାର ଅନନ୍ୟ ଅନୁଭବ ଯୁବପିଢିଙ୍କୁ ଆକର୍ଷିତ କରୁଛି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଝାଲମୁଢ଼ି ଖାଇବା ପରେ ଏହାର ଲୋକପ୍ରିୟତା ଆହୁରି ବଢ଼ିଛି।
ଏବେ ଯେଉଁଠି ଝାଲମୁଢ଼ି ଦେଖାଯାଉଛି, ସେଠାରେ ଲୋକମାନେ ରୁକି ଏହାକୁ ଖାଇବା ସହ ସେଲ୍ଫି ନେଇ ସୋସିଆଲ ମିଡିଆରେ ଭାଗ କରୁଛନ୍ତି। ଖଟା ଓ ରାଗର ମିଶ୍ର ସ୍ୱାଦ ଥିବା ଏହି ଖାଦ୍ୟ ଲୋକମାନଙ୍କ ମନକୁ ଜିତିନେଇଛି।ରାଜଧାନୀ ଭୁବନେଶ୍ୱରରେ ଝାଲମୁଢ଼ିର ଚାହିଦା ବେଶି ଦେଖାଯାଉଛି। ଗଳିକନ୍ଦି ଠାରୁ ଛକବଜାର, ସିନେମା ହଲ, କଲେଜ, ବସଷ୍ଟାଣ୍ଡ ଓ ରେଳଷ୍ଟେସନ ପର୍ଯ୍ୟନ୍ତ ସବୁଠି ଝାଲମୁଢ଼ି ବେପାରୀ ଦେଖିବାକୁ ମିଳୁଛନ୍ତି। ସାଇକେଲ କିମ୍ବା ଠେଲାଗାଡ଼ିରେ ଅଥବା ପାଦେ ଚାଲି ବେପାର କରୁଥିବା ଏହି ବ୍ୟବସାୟୀମାନେ ଦିନକୁ ଭଲ ଆୟ କରୁଛନ୍ତି।
ବର୍ତ୍ତମାନ ଖଟାଆଳୁ ମିଶା ଝାଲମୁଢ଼ିର ଚାହିଦା ଅଧିକ। ସିଝାଆଳୁ, ଆଚାର, ପିଆଜ, ମଟର, ବାଦାମ, ଚଣା ଓ ସୋରିଷତେଲ ସହ ମିଶାଇ ତିଆରି ହେଉଥିବା ଏହି ମୁଢ଼ିର ଦର ପ୍ରାୟ ୨୦ ଟଙ୍କା। ଏହା ବ୍ୟତୀତ ସାଧାରଣ ଝାଲମୁଢ଼ି ମଧ୍ୟ ସମାନ ଦରରେ ମିଳୁଛି। ରେଳଷ୍ଟେସନରେ ଛୋଟ ପ୍ୟାକେଟ୍ ୧୦ ଟଙ୍କାରେ ମିଳୁଥିବାରୁ ଯାତ୍ରୀମାନଙ୍କ ମଧ୍ୟରେ ଏହାର ଚାହିଦା ବଢ଼ିଛି।ଝାଲମୁଢ଼ି ପରିବେଷଣର ଠୁଙ୍ଗାର ଡିଜାଇନ୍ ମଧ୍ୟ ଗ୍ରାହକଙ୍କୁ ଆକୃଷ୍ଟ କରୁଛି। କେଉଁଠି କୋନ୍ ଆକାରରେ, କେଉଁଠି ଘର ଆକୃତିରେ ଏହାକୁ ପରିବେଷଣ କରାଯାଉଛି।
ବେପାରୀମାନଙ୍କ କହିବା ଅନୁଯାୟୀ, ଏବେ ଝାଲମୁଢ଼ି ସମସ୍ତ ବର୍ଗର ଲୋକଙ୍କ ପସନ୍ଦର ଖାଦ୍ୟ ହୋଇପାରିଛି।ଭୁବନେଶ୍ୱରର ଫରେଷ୍ଟ ପାର୍କ ଅଞ୍ଚଳରେ ବେପାର କରୁଥିବା ଜଣେ ବେପାରୀ କହିଛନ୍ତି ଯେ, ଦିନକୁ ପ୍ରାୟ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ବେପାର ହେଉଛି। ଏହାରୁ ସ୍ପଷ୍ଟ ଯେ, ସାଧାରଣ ଏହି ଖାଦ୍ୟ ଏବେ ଏକ ଲାଭଜନକ ବ୍ୟବସାୟରେ ପରିଣତ ହୋଇଛି।ସରଳ ଉପକରଣ ଓ ସୁଆଦିଆ ସ୍ୱାଦ ଯୋଗୁଁ ଝାଲମୁଢ଼ି ଆଜି ସଡ଼କ ଖାଦ୍ୟ ମଧ୍ୟରେ ଏକ ଅଲଗା ପରିଚୟ ସୃଷ୍ଟି କରିପାରିଛି।

