Mon. Jun 15th, 2026

ନ୍ୟୁଜ ଡେକ୍ସ : ରଜ ଅବସରରେ ଏଥର ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଦେଖିବାକୁ ମିଳିଛି ଜବରଦସ୍ତ ପ୍ରତିଯୋଗିତା। ଦର୍ଶକଙ୍କ ମନୋରଞ୍ଜନ ପାଇଁ ଏକାସାଙ୍ଗରେ ପରଦାକୁ ଆସିଛି ତିନିଟି ବଡ଼ ଚଳଚ୍ଚିତ୍ର। ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ‘ଛକିଶୂନ’, ଅମ୍ଲାନ ଓ ଏଲିନାଙ୍କ ‘ଶିକାର’ ଏବଂ ଅର୍ଦ୍ଧେନ୍ଦୁ ସାହୁଙ୍କ ‘ଡାଏରୀ’କୁ ନେଇ ସିନେପ୍ରେମୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖାଦେଇଛି।ରାଜଧାନୀର ମହାରାଜା ପ୍ରେକ୍ଷାଳୟରେ ଅର୍ଦ୍ଧେନ୍ଦୁ ସାହୁ ଅଭିନୀତ ‘ଡାଏରୀ’ର ପ୍ରଥମ ପ୍ରଦର୍ଶନ ଅନୁଷ୍ଠିତ ହୋଇଥିଲା।

ପ୍ରଥମ ଦିନରୁ ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ରୋମାଞ୍ଚ, ପ୍ରେମ ଓ ରହସ୍ୟରେ ଭରପୂର ଏହି ଚଳଚ୍ଚିତ୍ରର କାହାଣୀ, ଗୀତ ଓ ଅଭିନୟକୁ ଦର୍ଶକମାନେ ପସନ୍ଦ କରିଥିବା ଜଣାପଡ଼ିଛି।ଅର୍ଦ୍ଧେନ୍ଦୁ ସାହୁ ଏଥର ଏକ ନିଆରା ତ୍ରିକୋଣୀୟ ପ୍ରେମ କାହାଣୀ ନେଇ ଆସିଥିବା ବେଳେ ତାଙ୍କ ସହ ଜସ୍ମିନ ରଥ ଓ ପ୍ରଜ୍ଞା ମିଶ୍ର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ସୁଶାନ୍ତ ମଣି ଏବଂ କାହାଣୀ ଓ ସଂଳାପ ଲେଖିଛନ୍ତି କୁନା ତ୍ରିପାଠୀ। ଅନ୍ୟପଟେ ଅମ୍ଲାନ ଦାସ ଓ ଏଲିନା ସାମନ୍ତରାୟଙ୍କ ଅଭିନୀତ ‘ଶିକାର’ ମଧ୍ୟ ରଜ ବଜାରରେ ଚର୍ଚ୍ଚାରେ ରହିଛି। ଅପରାଧ, ରହସ୍ୟ ଓ ଦମଦାର ଆକ୍ସନକୁ ନେଇ ନିର୍ମିତ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ମୃତ୍ୟୁଞ୍ଜୟ ସାହୁ।

ଚଳଚ୍ଚିତ୍ରରେ ଅଙ୍କିତ ଓ ତାପସ ସରଘରିଆଙ୍କ ସମେତ ଅନେକ କଳାକାର ଅଭିନୟ କରିଛନ୍ତି।ସେହିପରି କଟକର ବୃନ୍ଦାବନ ପ୍ରେକ୍ଷାଳୟରେ ଅନୁଭବ ମହାନ୍ତିଙ୍କ ‘ଛକିଶୂନ’ର ପ୍ରଥମ ପ୍ରଦର୍ଶନ ହୋଇଥିଲା। ମାନସ ପଢ଼ିହାରୀଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ଅନୁଭବଙ୍କ ସହ ସମ୍ଭାବନା ମହାନ୍ତି, ଅଭିଷେକ ପଣ୍ଡା, ଦିବ୍ୟା ମହାନ୍ତି ଓ ଅନ୍ୟାନ୍ୟ କଳାକାର ଅଭିନୟ କରିଛନ୍ତି।ରଜ ଅବସରରେ ମୁକ୍ତିଲାଭ କରିଥିବା ଏହି ତିନିଟି ଚଳଚ୍ଚିତ୍ର ମଧ୍ୟରେ କଡ଼ା ପ୍ରତିଯୋଗିତା ହେବାକୁ ଯାଉଥିବା ବେଳେ ଦର୍ଶକଙ୍କ ଭଲପାଇବା କେଉଁ ଚଳଚ୍ଚିତ୍ରକୁ ସର୍ବାଧିକ ମିଳୁଛି, ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ।

Leave a Reply

Your email address will not be published. Required fields are marked *