ନ୍ୟୁଜ ଡେକ୍ସ : ୨୦୧୫ ମସିହା ମେ ୩୦ ତାରିଖରେ ରମାଦେବୀ ମହିଳା ସ୍ୱୟଂଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟରେ ପରିଣତ କରାଯାଇଥିଲା। ଓଡ଼ିଶାର ପ୍ରଥମ ମହିଳା ବିଶ୍ୱବିଦ୍ୟାଳୟ ଭାବେ ଏହାର ପ୍ରତିଷ୍ଠା ହୋଇଥିବାବେଳେ ଏହା ଅଧୀନରେ ୪୮ଟି ମହିଳା ଡିଗ୍ରୀ କଲେଜ ଆସିଥିଲା। ବିଶ୍ୱବିଦ୍ୟାଳୟର ବିକାଶ ଓ ଛାତ୍ରୀମାନଙ୍କ ପାଇଁ ନୂତନ ପାଠ୍ୟକ୍ରମ ସହ ଆଧୁନିକ ଭିତ୍ତିଭୂମି ସୃଷ୍ଟିର ଆଶା ରହିଥିଲେ ମଧ୍ୟ ଏକ ଦଶନ୍ଧି ପରେ ମଧ୍ୟ ସେହି ଆଶା ପୂରଣ ହୋଇପାରିନାହିଁ।
ବର୍ତ୍ତମାନ ଗୋଟିଏ କ୍ୟାମ୍ପସରେ ଉଚ୍ଚ ମାଧ୍ୟମିକ, ସ୍ନାତକ, ସ୍ନାତକୋତ୍ତର ଓ ପିଏଚ୍ଡି ପାଠ୍ୟକ୍ରମର ଶିକ୍ଷାଦାନ ଚାଲିଥିବାରୁ ପ୍ରତିବର୍ଷ ପାଠପଢ଼ାରେ ବିଭିନ୍ନ ସମସ୍ୟା ଦେଖାଦେଉଛି। ପର୍ଯ୍ୟାପ୍ତ ଶ୍ରେଣୀଗୃହ ନଥିବା ସହ ନୂତନ ପାଠ୍ୟକ୍ରମ ଯୋଡ଼ାଯାଇଥିବାରୁ ଛାତ୍ରୀମାନଙ୍କ ପାଠପଢ଼ା ବାଧାପ୍ରାପ୍ତ ହେଉଛି।୨୦୨୬-୨୭ ଶିକ୍ଷାବର୍ଷ ଆରମ୍ଭ ହେବାକୁ ଥିବାବେଳେ ଏହି ଭିତ୍ତିଭୂମି ସଙ୍କଟ ଆହୁରି ଗମ୍ଭୀର ହେବାର ଆଶଙ୍କା ରହିଛି। ଗୋଟିଏ କ୍ୟାମ୍ପସରେ ୬ ହଜାରରୁ ଅଧିକ ଛାତ୍ରୀଙ୍କୁ ଶିକ୍ଷାଦାନ କରିବା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ପାଲଟିଛି।ଚାରି ବର୍ଷ ପୂର୍ବରୁ ରମାଦେବୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ୟୁନିଟ୍-୯ ବାଳିକା ଉଚ୍ଚ ବିଦ୍ୟାଳୟ କ୍ୟାମ୍ପସକୁ ସ୍ଥାନାନ୍ତର କରିବାକୁ ଯୋଜନା ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହୋଇନାହିଁ।
ସେହିପରି ଦ୍ୱିତୀୟ କ୍ୟାମ୍ପସ ପାଇଁ ଜିଲ୍ଲା ପ୍ରଶାସନ ୪ଟି ସ୍ଥାନ ଚିହ୍ନଟ କରିଥିବାବେଳେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏହାର ଅନୁଧ୍ୟାନ ପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ସୂଚନା ମିଳିଛି।କେବଳ ଶ୍ରେଣୀଗୃହ ଅଭାବ ନୁହେଁ, ଖେଳ ପଡ଼ିଆ, ଅତ୍ୟାଧୁନିକ ଲାବୋରେଟୋରି, ଜିମ୍, ଛାତ୍ରୀନିବାସ ଏବଂ ନୂତନ ପାଠ୍ୟକ୍ରମ ଆରମ୍ଭ କରିବା ଭଳି ଅନେକ କ୍ଷେତ୍ରରେ ଭିତ୍ତିଭୂମିର ଅଭାବ ଦେଖାଦେଉଛି। ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ରମାଦେବୀ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ ନିର୍ମାଣକୁ ନେଇ ଦାବି ଦିନକୁ ଦିନ ଜୋରଦାର ହେଉଛି।

