Sun. Apr 19th, 2026

ନ୍ୟୁଜ ଡେକ୍ସ : ରାଜ୍ୟରେ କାଳବୈଶାଖୀର ପ୍ରକୋପ ଜାରି ରହିଥିବାବେଳେ ଆହୁରି ୫ ଦିନ ପର୍ଯ୍ୟନ୍ତ ବିଜୁଳି ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହି ସମୟସୀମା ମଧ୍ୟରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀର ପ୍ରଭାବ ଜାରି ରହିବ ବୋଲି କୁହାଯାଇଛି।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ, କେତେକ ସ୍ଥାନରେ ୩୦ରୁ ୪୦ କିଲୋମିଟର ବେଗରେ ବାତ୍ୟାସଦୃଶ ପବନ ବହିପାରେ। ଏହି ପରିସ୍ଥିତିକୁ ଦେଖି ମୟୂରଭଞ୍ଜ, କେନ୍ଦୁଝର, କୋରାପୁଟ, ମାଲକାନାଗିରି, ବାଲେଶ୍ୱର, ରାୟଗଡ଼ା, ଗଜପତି, ଭଦ୍ରକ ଓ ନବରଙ୍ଗପୁର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।ଏପଟେ, ଆସନ୍ତା ଦୁଇ ଦିନ ପରେ ରାଜ୍ୟର ଦିନ ତାପମାତ୍ରା ବୃଦ୍ଧି ପାଇବା ସମ୍ଭାବନା ରହିଛି। ପ୍ରାୟ ୨ରୁ ୩ ଡିଗ୍ରୀ ସେଲସିୟସ୍ ତାପମାତ୍ରା ବଢ଼ିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ତଥାପି, ପଶ୍ଚିମ ଓଡ଼ିଶାରେ ଏବେଠାରୁ ତାତିର ପ୍ରଭାବ ବଢ଼ିବା ଦେଖିବାକୁ ମିଳିଛି। ବିଶେଷକରି ଟିଟିଲାଗଡ଼ରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ପହଞ୍ଚିଛି।

ରବିବାର ଦିନ ରାଜ୍ୟର ୨୩ଟି ସ୍ଥାନରେ ତାପମାତ୍ରା ୩୬ ଡିଗ୍ରୀ ସେଲସିୟସ୍ ଉପରେ ରହିଥିଲା। ଟିଟିଲାଗଡ଼ରେ ସର୍ବାଧିକ ୪୦.୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବାବେଳେ ଭବାନୀପାଟଣାରେ ୩୯.୮ ଡିଗ୍ରୀ ରହିଥିଲା।ସେହିପରି, ଝାରସୁଗୁଡ଼ା ଓ ସୋନପୁରରେ ୩୯.୪ ଡିଗ୍ରୀ, ବଲାଙ୍ଗିରରେ ୩୮.୮ ଡିଗ୍ରୀ, ସମ୍ବଲପୁରରେ ୩୮.୭ ଡିଗ୍ରୀ ତାପମାତ୍ରା ରହିଥିଲା। ହୀରାକୁଦ ଓ ତାଳଚେରରେ ୩୮.୬ ଡିଗ୍ରୀ ଏବଂ ରାଉରକେଲାରେ ୩୮.୨ ଡିଗ୍ରୀ ତାପମାତ୍ରା ଦର୍ଶାଯାଇଛି।ମୋଟମେ, ରାଜ୍ୟରେ ଏକ ପକ୍ଷରେ କାଳବୈଶାଖୀର ବର୍ଷା ଓ ବଜ୍ରପାତ ଚାଲିଥିବାବେଳେ ଅନ୍ୟ ପକ୍ଷରେ ତାପମାତ୍ରା ମଧ୍ୟ ବଢ଼ୁଥିବାରୁ ଲୋକମାନେ ଦୁଇପ୍ରକାର ଆବହାବିକଳ୍ପର ସମ୍ମୁଖୀନ ହେଉଛନ୍ତି।

Leave a Reply

Your email address will not be published. Required fields are marked *