Sun. Apr 19th, 2026

ନ୍ୟୁଜ ଡେକ୍ସ : ଏସସିବି ମେଡିକାଲରେ ଘଟିଥିବା ଅଗ୍ନିକାଣ୍ଡ ଘଟଣାକୁ ନେଇ ରାଜ୍ୟ ରାଜନୀତିରେ ତିବ୍ର ତାପମାତ୍ରା ଜାରି ରହିଥିବାବେଳେ ଆଜି ମଧ୍ୟ ଗୃହରେ ପ୍ରବଳ ହଟ୍ଟଗୋଳ ହେବାର ସମ୍ଭାବନା ରହିଛି। ଗତ ୧୭ ତାରିଖରୁ ଲଗାତାର ଭାବେ ବିରୋଧୀ ଦଳମାନେ ଏହି ଘଟଣାକୁ ନେଇ ଗୃହରେ ହଙ୍ଗାମା କରୁଥିବାବେଳେ ପରିସ୍ଥିତି ସାଧାରଣ ହେବାର ନାମ ନେଉନାହିଁ।

ବିବାଦକୁ ଶମନ କରିବା ପାଇଁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ ମଧ୍ୟ କୌଣସି ସ୍ପଷ୍ଟ ସମାଧାନ ମିଳିପାରିନାହିଁ। ଏହି କାରଣରୁ ଆଜିର ଅଧିବେଶନରେ ପୁଣି ଥରେ ଶାସକ ଓ ବିରୋଧୀ ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହେବା ନିଶ୍ଚିତ ବୋଲି ଆଶଙ୍କା କରାଯାଉଛି।ଆଜିର କାର୍ଯ୍ୟସୂଚୀ ଅନୁଯାୟୀ ପ୍ରଶ୍ନକାଳରେ ଅର୍ଥ ବିଭାଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ସାଧାରଣ ପ୍ରଶାସନ ବିଭାଗ, ସଂସଦୀୟ ବ୍ୟାପାର ବିଭାଗ, ସ୍ୱରାଷ୍ଟ୍ର ବିଭାଗ ଓ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ସହ ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ରହିଛି। ଅପରାହ୍ନରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଖର୍ଚ୍ଚ ଦାବି ଉପରେ ଆଲୋଚନା ହେବାକୁ ଯାଉଛି।ତେବେ ଏହି ଆଲୋଚନା ସୁଚାରୁ ଭାବେ ଚାଲିପାରିବ କି ନାହିଁ ସେଥିରେ ସନ୍ଦେହ ରହିଛି, କାରଣ ବିରୋଧୀ ଦଳମାନେ ଏସସିବି ଘଟଣାକୁ ନେଇ ଆକ୍ରୋଶିତ ଅଛନ୍ତି।

ବିଜୁ ଜନତା ଦଳ ଓ ଇଣ୍ଡିଆନ୍ ନ୍ୟାସନାଲ୍ କଂଗ୍ରେସ ଦଳ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଅଟଳ ରହିଛନ୍ତି।ବିରୋଧୀମାନେ ଅଭିଯୋଗ କରିଛନ୍ତି ଯେ, ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସା ପାଇଁ ଆସିଥିବା ୧୩ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ଘଟଣାରେ ଶାସକ ଭାରତୀୟ ଜନତା ପାର୍ଟି ସରକାର ନିଜ ଦାୟିତ୍ୱ ପୁରଣ କରିପାରିନାହିଁ।

ସରକାରଙ୍କ ଅବହେଳା ଓ ପ୍ରଶାସନିକ ତ୍ରୁଟିକୁ ଏହାର ମୂଳ କାରଣ ବୋଲି ବିରୋଧୀ ଦଳ ଦାବି କରୁଛନ୍ତି।ଅନ୍ୟପଟେ, ଶାସକ ଦଳ ଏହି ଅଭିଯୋଗକୁ ଖଣ୍ଡନ କରି ଘଟଣାର ତଦନ୍ତ ଚାଲିଥିବା କହୁଛି। ତଥାପି ବିରୋଧୀମାନେ ଏଥିରେ ସନ୍ତୁଷ୍ଟ ନୁହେଁ ଏବଂ ଗୃହରେ ଏହି ବିଷୟକୁ ଜୋରଦାର ଭାବେ ଉଠାଇବାକୁ ପ୍ରସ୍ତୁତ ଅଛନ୍ତି।ଏହି ପରିସ୍ଥିତିରେ ଆଜିର ଅଧିବେଶନ ଆରମ୍ଭ ହେବା ସହିତ ଗୃହରେ ପୁଣି ଥରେ ତୀବ୍ର ହଟ୍ଟଗୋଳ ଓ ରାଜନୈତିକ ମୁକାବିଲା ଦେଖିବାକୁ ମିଳିପାରେ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *