ନ୍ୟୁଜ ଡେକ୍ସ : ମହାନଦୀରେ ଘଡ଼ିଆଳ କୁମ୍ଭୀର ବଂଶ ବୃଦ୍ଧି ପାଇଁ ଆଜି ପୁଣି ୧୨ଟି କୁମ୍ଭୀରକୁ ଛାଡ଼ାଯାଇଛି। ଏହି ପଦକ୍ଷେପ ଦ୍ୱାରା ଆଗାମୀ ଦିନରେ ଘଡ଼ିଆଳଙ୍କ ସଂଖ୍ୟା ବଢ଼ିବା ସହ ପ୍ରାକୃତିକ ସନ୍ତୁଳନ ରକ୍ଷା ପାଇବ ବୋଲି ଅନୁମାନ କରାଯାଉଛି।ଏହି କୁମ୍ଭୀରଗୁଡ଼ିକୁ ବୌଦ୍ଧ ଜିଲ୍ଲାର କୁସଙ୍ଗ ଅଞ୍ଚଳ ଅନ୍ତର୍ଗତ ସାତକୋଶିଆ ବନ୍ୟପ୍ରାଣୀ ରେଞ୍ଜର ସୁନାଖଣିଆ ବିଟ ନିକଟସ୍ଥ ମହାନଦୀରେ ଛାଡ଼ାଯାଇଛି।
ସକାଳୁ ନୟାଗଡ଼ ବନଖଣ୍ଡ ପକ୍ଷରୁ ବନଖଣ୍ଡ ଅଧିକାରୀମାନେ ଏହି ସ୍ଥାନରେ ପହଞ୍ଚିଥିଲେ ଏବଂ ସମସ୍ତ ବ୍ୟବସ୍ଥା କରିଥିଲେ।ପରେ ନନ୍ଦନକାନନ ଜୂଲଜିକାଲ ପାର୍କରୁ ଆସିଥିବା ବିଶେଷଜ୍ଞ ଟିମ୍ ସହଯୋଗରେ ଏହି ୧୨ଟି ଘଡ଼ିଆଳ କୁମ୍ଭୀରକୁ ମହାନଦୀକୁ ନେଇ ପର୍ଯ୍ୟାୟକ୍ରମେ ସାତକୋଶିଆ ଗଣ୍ଡରେ ଛାଡ଼ାଯାଇଥିଲା। ଏହା ଫଳରେ ଗଣ୍ଡରେ ପ୍ରାକୃତିକ ପରିବେଶ ସନ୍ତୁଳନ ରହିବାରେ ସହାୟତା ମିଳିବ।
ସୂଚନା ଅନୁଯାୟୀ, ୨୦୧୯ ମସିହାରୁ ମହାନଦୀରେ ଘଡ଼ିଆଳ କୁମ୍ଭୀର ଛାଡ଼ା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏପର୍ଯ୍ୟନ୍ତ ମୋଟ ୩୫ଟି କୁମ୍ଭୀରକୁ ସାତକୋଶିଆ ଗଣ୍ଡରେ ଛାଡ଼ାଯାଇଛି। ଏହି ପଦକ୍ଷେପ ଦ୍ୱାରା ଓଡିଶାରେ ବନ୍ୟପ୍ରାଣୀ ସଂରକ୍ଷଣ କ୍ଷେତ୍ରରେ ନୂଆ ମାଇଲସ୍ଟୋନ ସୃଷ୍ଟି ହେବା ସହ ଭବିଷ୍ୟତରେ ସାରା ଭାରତରେ ରାଜ୍ୟର ପରିଚୟ ଆହୁରି ବଢ଼ିବ ବୋଲି ସଞ୍ଜୟ କୁମାର ସ୍ୱାଇଁ କହିଛନ୍ତି।

