Sun. Apr 19th, 2026

ନ୍ୟୁଜ ଡେକ୍ସ : ଯାଜପୁର ଜିଲ୍ଲାର ବ୍ରହ୍ମବରଦା ବଜାର ଅନ୍ତର୍ଗତ ତାରିଣୀ ଛକରେ ବିଳମ୍ବିତ ରାତିରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ। ଶାନ୍ତ ପରିବେଶରେ ସମସ୍ତେ ଘୁମାଉଥିବା ସମୟରେ ହଟାତ୍ ନିଆଁ ଲାଗିଯାଇ ଦେଖିବାକୁ ମିଳିଥିଲା ଭୟଙ୍କର ଦୃଶ୍ୟ। ରାତି ପ୍ରାୟ ୨ଟା ସମୟରେ ପ୍ରଥମେ ଗୋଟିଏ ଦୋକାନରୁ ଆଗୁନ ଉଠିଥିବା ବେଳେ, କେତେକ୍ଷଣ ମଧ୍ୟରେ ନିଆଁ ପାଶପାଶି ଥିବା ଅନ୍ୟାନ୍ୟ ଦୋକାନକୁ ବ୍ୟାପିଯାଇଥିଲା।

ସ୍ଥାନୀୟ ଲୋକମାନେ ଧୁଆଁ ଓ ଆଗୁନ ଦେଖି ତତ୍କ୍ଷଣାତ୍ ଘଟଣାସ୍ଥଳକୁ ଧାଇଯାଇଥିଲେ ଏବଂ ନିଜେ ନିଜେ ଆଗୁନ ନିବା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ ଆଗୁନ ତିବ୍ର ହୋଇଥିବାରୁ ସେମାନଙ୍କର ସମସ୍ତ ପ୍ରୟାସ ବିଫଳ ହୋଇଥିଲା। ପରେ ତୁରନ୍ତ ଅଗ୍ନିଶମ ବାହିନୀକୁ ସୂଚନା ଦିଆଯାଇଥିଲା।ଖବର ପାଇ ଅଗ୍ନିଶମ ବାହିନୀର ଦଳ ଘଟଣାସ୍ଥଳକୁ ପହଞ୍ଚି ଦୀର୍ଘ ସମୟ ଧରି ଚେଷ୍ଟା କରି ନିଆଁକୁ ଆୟତ୍ତ କରିଥିଲେ। ତେବେ ସେମାନେ ପହଞ୍ଚିବା ପୂର୍ବରୁ ୭ଟି ଦୋକାନ ଘର ସମ୍ପୂର୍ଣ୍ଣ ଭାବେ ଜଳି ପାଉଁଶ ହୋଇଯାଇଥିଲା। ଏହି ଅଗ୍ନିକାଣ୍ଡରେ ଏକ ଜଳଖିଆ ଦୋକାନ, ଚପଲ ଦୋକାନ, ସାଇକେଲ ଦୋକାନ, ଗଦି ଦୋକାନ ଏବଂ ଲସି ଦୋକାନ ସହିତ ମୋଟ ୭ଟି ଦୋକାନ ଭସ୍ମୀଭୂତ ହୋଇଯାଇଛି।

ଦୋକାନମାନଙ୍କ ଭିତରେ ରହିଥିବା ସମସ୍ତ ସାମଗ୍ରୀ, ଆସବାବପତ୍ର ଓ ବ୍ୟବସାୟୀକ ସାମଗ୍ରୀ ଜଳିଯାଇ ଲକ୍ଷାଧିକ ଟଙ୍କାର କ୍ଷତି ଘଟିଥିବା ଅନୁମାନ କରାଯାଉଛି।ପ୍ରାଥମିକ ତଦନ୍ତରୁ ବିଦ୍ୟୁତ୍ ସର୍ଟ ସର୍କିଟ ହେତୁ ଏହି ଅଗ୍ନିକାଣ୍ଡ ଘଟିଥିବା ନେଇ ସନ୍ଦେହ କରାଯାଉଛି। ତେବେ ସଠିକ୍ କାରଣ ଜଣାପାଇଁ ପୋଲିସ ଓ ଅଗ୍ନିଶମ ବିଭାଗ ପକ୍ଷରୁ ତଦନ୍ତ ଜାରି ରହିଛି।ଏହି ଘଟଣା ପରେ ସ୍ଥାନୀୟ ବ୍ୟବସାୟୀମାନେ ଗଭୀର ଚିନ୍ତା ଓ ଦୁଃଖ ପ୍ରକାଶ କରିଛନ୍ତି।

ହଠାତ୍ ଏପରି ଅଗ୍ନିକାଣ୍ଡ ଘଟିବାରୁ ଅନେକ ପରିବାରର ଜୀବିକା ଉପରେ ପ୍ରଭାବ ପଡ଼ିଛି। ସକାଳୁ ଘଟଣାସ୍ଥଳରେ ଲୋକମାନଙ୍କର ଭିଡ଼ ଲାଗିଥିବା ବେଳେ, ପ୍ରଶାସନ ପକ୍ଷରୁ କ୍ଷତିଗ୍ରସ୍ତଙ୍କୁ ସହାୟତା ଦେବାକୁ ଦାବି ଉଠିଛି।ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଆତଙ୍କ ଓ ଚର୍ଚ୍ଚା ଚାଲିଥିବା ବେଳେ, ଏପରି ଘଟଣା ପୁନରାବୃତ୍ତି ନ ହେବାପାଇଁ ଯଥାପ୍ରକାର ସୁରକ୍ଷା ବ୍ୟବସ୍ଥା ନେବାକୁ ସ୍ଥାନୀୟମାନେ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *