Sun. Apr 19th, 2026

ନ୍ୟୁଜ ଡେକ୍ସ : ପ୍ରତ୍ୟେକ ଓଡ଼ିଆଙ୍କ ପ୍ରିୟ ପାରମ୍ପରିକ ଖାଦ୍ୟ ପଖାଳର ସ୍ୱାଦକୁ ଆହୁରି ଲୋକପ୍ରିୟ କରିବା ସହ ଏହାର ପ୍ରଚାର ଓ ପ୍ରସାରକୁ ଲକ୍ଷ୍ୟ କରି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ ମ୍ୟାନେଜମେଣ୍ଟ (ଏସଏଚ୍‌ଏମ୍‌) ପକ୍ଷରୁ ଆସନ୍ତା ଏପ୍ରିଲ ୧ ତାରିଖରୁ ୫ ଦିନିଆ ପଖାଳ ଉତ୍ସବର ଆୟୋଜନ କରାଯାଇଛି।

ପ୍ରତିବର୍ଷର ଭଳି ଏହି ବର୍ଷ ମଧ୍ୟ ଏହି ଉତ୍ସବ ଆୟୋଜିତ ହେଉଥିବା ବେଳେ ଏପ୍ରିଲ ୧ ରୁ ୫ ତାରିଖ ପର୍ଯ୍ୟନ୍ତ ଏସଏଚ୍‌ଏମ୍ ପରିସରରେ ଏହା ଅନୁଷ୍ଠିତ ହେବ।ଓଡ଼ିଶାର ପଖାଳ ପ୍ରେମୀମାନଙ୍କ ପାଇଁ ଆୟୋଜିତ ଏହି ବିଶେଷ ଉତ୍ସବରେ ବିଭିନ୍ନ ପ୍ରକାରର ପଖାଳର ସ୍ୱାଦ ଉପଲବ୍ଧ ହେବ। ଦହି ପଖାଳ, ଛୁଙ୍କ ପଖାଳ, ଲେମ୍ବୁ ପଖାଳ, ଆମ୍ବ ପଖାଳ ଓ ଅଦା ପଖାଳ ଭଳି ବିଭିନ୍ନ ପ୍ରକାରର ପଖାଳ ସହ ଅନେକ ପାରମ୍ପରିକ ଓଡ଼ିଆ ବ୍ୟଞ୍ଜନ ମଧ୍ୟ ପରଷା ଯିବ। ଏହାରେ ଶାଗ ଭଜା, ବଡ଼ିଚୁରା, ଟମାଟୋ ଚଟଣୀ, ମାଛ ଭଜା, ଶୁଖୁଆ ଭଜା, ଛତୁ ପତ୍ରପୋଡ଼ା, ଚିଙ୍ଗୁଡ଼ି ଛେଚା, ମାଛ କଲିଆ, ଛେନା ଭର୍ତା, ଚୁନାମାଛ ଭଜା, କୁକୁଡ଼ା ମାଂସ କଷା, ପୋହଳା ମାଛ ଭଜା, ଚିଙ୍ଗୁଡ଼ି ଝରଝରି, ପଣଷ କଠା ପିଠଉ ଭଜା, ଗୋଟା ଭେଣ୍ଡି, ପୋଡ଼ା ଆଳୁ ଭର୍ତା, ଆଳୁ ବାଇଗ, ନଡ଼ିଆ ଭଜା, ଆମ୍ବ ଛେଚା ଓ ଆଳୁ କଲରା ବାଟି ତରକାରୀ ଭଳି ବହୁ ପ୍ରକାର ରୁଚିକର ବ୍ୟଞ୍ଜନ ଉପସ୍ଥାପିତ ହେବ। ଏହି ପଖାଳ ଉତ୍ସବ ଉତ୍କଳ ଦିବସ ଅବସରରୁ ଆରମ୍ଭ ହୋଇ ପାଞ୍ଚ ଦିନ ଧରି ଚାଲିବ।

ଏପ୍ରିଲ ୧ ରୁ ୫ ପର୍ଯ୍ୟନ୍ତ ପ୍ରତିଦିନ ଦୁପୁର ୧୨ଟାରୁ ୩ଟା ପର୍ଯ୍ୟନ୍ତ ପଖାଳ ପରଷା ଯିବ। ଏହି ଉତ୍ସବର ଆଉ ଏକ ବିଶେଷ ଆକର୍ଷଣ ହେଉଛି ଯେ, ଏସଏଚ୍‌ଏମ୍‌ର ଛାତ୍ରଛାତ୍ରୀମାନେ ନିଜେ ଖାଦ୍ୟ ପ୍ରସ୍ତୁତ କରିବା ସହ ପାରମ୍ପରିକ ଓଡ଼ିଆ ବେଶଭୁଷା ପରିଧାନ କରି ଅତିଥିମାନଙ୍କୁ ପରଷିବେ।ଏହି ସମ୍ପୂର୍ଣ୍ଣ ଉତ୍ସବକୁ ଏସଏଚ୍‌ଏମ୍‌ର ଛାତ୍ରଛାତ୍ରୀମାନେ ହିଁ ପରିଚାଳନା କରିବେ ବୋଲି ସଂସ୍ଥାର ଡିନ୍ ପ୍ରଫେସର ସୁଶାନ୍ତ ରଞ୍ଜନ ଚଇନି ସୂଚନା ଦେଇଛନ୍ତି। ପଖାଳର ପାରମ୍ପରିକତାକୁ ଆଗକୁ ନେବା ସହ ନୂତନ ପିଢ଼ୀଙ୍କୁ ଏହାର ସ୍ୱାଦ ଓ ସଂସ୍କୃତି ସହ ପରିଚିତ କରାଇବା ଏହି ଉତ୍ସବର ମୂଳ ଉଦ୍ଦେଶ୍ୟ ବୋଲି କୁହାଯାଇଛି।

Leave a Reply

Your email address will not be published. Required fields are marked *