ନ୍ୟୁଜ ଡେକ୍ସ : ଗୁରୁଗ୍ରାମ ସ୍ଥିତ ଏସଆରପିଏଫ୍ କ୍ୟାମ୍ପସରେ ଆୟୋଜିତ ୨୬ତମ ସର୍ବଭାରତୀୟ ପୋଲିସ ସୁଟିଂ ପ୍ରତିଯୋଗିତାରେ ଓଡ଼ିଶା ପୋଲିସ ଦୃଢ଼ ପ୍ରଦର୍ଶନ କରି ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ମାର୍ଚ୍ଚ ୨୨ରୁ ୩୦ ପର୍ଯ୍ୟନ୍ତ ଚାଲିଥିବା ଏହି ପ୍ରତିଯୋଗିତାରେ ଦେଶର ବିଭିନ୍ନ ରାଜ୍ୟର ପୋଲିସ ବାହିନୀମାନେ ଅଂଶଗ୍ରହଣ କରିଥିଲେ।
ପ୍ରତିଯୋଗିତାରେ ଓଡ଼ିଶା ପୋଲିସ ଟିମ୍ ରାଇଫଲ ସୁଟିଂରେ ୭୪୩ ପଏଣ୍ଟ, ପିସ୍ତଲ ସୁଟିଂରେ ୫୩୧ ପଏଣ୍ଟ ଏବଂ କାରବାଇନ ସୁଟିଂରେ ୩୨୭ ପଏଣ୍ଟ ହାସଲ କରି ସର୍ବମୋଟ ୧୬୦୧ ପଏଣ୍ଟ ସଂଗ୍ରହ କରିଥିଲେ। ଏହି ସଫଳତା ଦ୍ୱାରା ଓଡ଼ିଶା ପୋଲିସ ଦେଶର ଅନ୍ୟାନ୍ୟ ରାଜ୍ୟ ପୋଲିସ ବାହିନୀମାନଙ୍କ ମଧ୍ୟରେ ଦ୍ୱିତୀୟ ସ୍ଥାନ ଦଖଲ କରି ରାଜ୍ୟ ପାଇଁ ଗୌରବ ଆଣିଛି।ଏହା ସହିତ ବ୍ୟକ୍ତିଗତ ଭାବେ ମଧ୍ୟ ଓଡ଼ିଶା ପୋଲିସର ସୁଟର ଅକ୍ଷୟ କୁମାର ସାହାଣୀ ଉତ୍କୃଷ୍ଟ ପ୍ରଦର୍ଶନ କରିଛନ୍ତି।
ସେ ୩୦୦ ୟାର୍ଡ ସ୍ନାପ୍ ବିଭାଗରେ ଦ୍ୱିତୀୟ ସ୍ଥାନ ଅଧିକାର କରି ରୌପ୍ୟ ପଦକ ଜିତିଥିବାରୁ ସମସ୍ତଙ୍କର ପ୍ରଶଂସାର ପାତ୍ର ହୋଇଛନ୍ତି।ଅକ୍ଷୟ କୁମାର ସାହାଣୀ ବର୍ତ୍ତମାନ ଏସଏସବିଏନ୍, ଭୁବନେଶ୍ୱରରେ କାର୍ଯ୍ୟରତ ଅଛନ୍ତି। ତାଙ୍କ ଏହି ସଫଳତା ଓଡ଼ିଶା ପୋଲିସ ପାଇଁ ଗର୍ବର ବିଷୟ ହେବା ସହ ଆଗାମୀ ଦିନରେ ଅନ୍ୟ ଖେଳାଳିମାନଙ୍କୁ ପ୍ରେରଣା ଯୋଗାଇବ ବୋଲି କୁହାଯାଉଛି। ଏହି ସଫଳତା ପରେ ଓଡ଼ିଶା ପୋଲିସ ବାହିନୀ ଓ ସମ୍ବନ୍ଧିତ ଅଧିକାରୀମାନଙ୍କ ମଧ୍ୟରେ ଆନନ୍ଦର ଲହରୀ ଦେଖିବାକୁ ମିଳିଛି। ଖେଳ କ୍ଷେତ୍ରରେ ଏପରି ସଫଳତା ରାଜ୍ୟର କ୍ରୀଡା ସଂସ୍କୃତିକୁ ଆହୁରି ଶକ୍ତିଶାଳୀ କରିବ ବୋଲି ଆଶା କରାଯାଉଛି।

