Sun. Apr 19th, 2026

ନ୍ୟୁଜ ଡେକ୍ସ : ପୁରୀ ଶ୍ରୀମନ୍ଦିରର ବାହାର ରତ୍ନଭଣ୍ଡାରର ଦ୍ୱିତୀୟ ପର୍ଯ୍ୟାୟ ଗଣତିମଣତି କାର୍ଯ୍ୟ ଆସନ୍ତା ଏପ୍ରିଲ ୮ ତାରିଖରୁ ଆରମ୍ଭ ହେବ। ଏପ୍ରିଲ ୮, ୯ ଓ ୧୦ ତାରିଖରେ ଏହି ଗଣତିମଣତି ପ୍ରକ୍ରିୟା ସଂପନ୍ନ ହେବ ବୋଲି ସୂଚନା ମିଳିଛି। ଏହି ସମୟରେ ମହାପ୍ରଭୁଙ୍କ ଦର୍ଶନ କିମ୍ବା ନୀତିକାନ୍ତିରେ କୌଣସି ବାଧା ସୃଷ୍ଟି ନହେବାକୁ ବିଶେଷ ଗୁରୁତ୍ୱ ଦିଆଯାଇଛି।

ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏନେଇ ସୂଚନା ଦେଇ କହିଛନ୍ତି ଯେ, ବାହାର ରତ୍ନଭଣ୍ଡାରର ଗଣତିମଣତି କାର୍ଯ୍ୟ ଶେଷ ହେବା ପରେ ଭିତର ରତ୍ନଭଣ୍ଡାରର ଗଣତିମଣତି କାର୍ଯ୍ୟ ଆରମ୍ଭ କରାଯିବ। ସମସ୍ତ ପ୍ରକ୍ରିୟା ସୁଚାରୁ ଭାବେ ସମୟମଧ୍ୟରେ ସମ୍ପନ୍ନ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।ଏହା ସହିତ ଆଗାମୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ମଧ୍ୟ ପ୍ରଶାସନ ପକ୍ଷରୁ ଆଗୁଆ ପ୍ରସ୍ତୁତି ଆରମ୍ଭ ହୋଇଛି। ରଥଯାତ୍ରାକୁ ସୁରୁଖୁରରେ ସଂପନ୍ନ କରିବା ପାଇଁ ପ୍ରାୟ ୬ ମାସ ପୂର୍ବରୁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବାରମ୍ବାର ବୈଠକ ବସିଥିବା ସୂଚନା ମିଳିଛି। ରଥଯାତ୍ରା ସମୟରେ ଭକ୍ତମାନଙ୍କ ସୁବିଧା ଓ ସୁରକ୍ଷାକୁ ନଜରରେ ରଖି ବଡ଼ଦାଣ୍ଡରେ ଅନାବଶ୍ୟକ ଯାନବାହନ ପ୍ରବେଶକୁ ନିୟନ୍ତ୍ରଣ କରାଯିବା ଉପରେ ଗୁରୁତ୍ୱ ଦିଆଯାଉଛି।

ସେହିପରି ରଥଦାଣ୍ଡ ସଂଲଗ୍ନ ରାସ୍ତାମାନଙ୍କର ପ୍ରସସ୍ତିକରଣ କାମକୁ ମଧ୍ୟ ଆଗୁଆ ଭାବେ ସମ୍ପନ୍ନ କରାଯିବାକୁ ପଦକ୍ଷେପ ଗ୍ରହଣ କରାଯାଇଛି।ସମଗ୍ର ବ୍ୟବସ୍ଥାକୁ ସୁଚାରୁ ଭାବେ କାର୍ଯ୍ୟକରୀ କରିବାକୁ ପ୍ରଶାସନ ପକ୍ଷରୁ ଯୋଜନାବଦ୍ଧ ଭାବେ ପଦକ୍ଷେପ ନିଆଯାଉଥିବା ବେଳେ, ଏଥର ରଥଯାତ୍ରାକୁ ଆହୁରି ଶୃଙ୍ଖଳିତ ଓ ସୁବ୍ୟବସ୍ଥିତ ଭାବେ କରାଯିବ ବୋଲି କୁହାଯାଉଛି।

Leave a Reply

Your email address will not be published. Required fields are marked *