Sun. Apr 19th, 2026

ନ୍ୟୁଜ ଡେକ୍ସ : ରାଜ୍ୟରେ ବର୍ତ୍ତମାନ କାଳବୈଶାଖୀର ପ୍ରକୋପ ଜାରି ରହିଛି। ଆସନ୍ତା ଏପ୍ରିଲ ୩ ତାରିଖ ପର୍ଯ୍ୟନ୍ତ ପ୍ରତିଦିନ କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ଓ ଝଡ଼ ପବନ ବହିବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।ଆଜି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ସହ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି।

ବିଶେଷକରି ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଗଞ୍ଜାମ, ଗଜପତି ଓ ରାୟଗଡ଼ାରେ ବଜ୍ରପାତ ସହ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିପାରେ। ଏହାସହ ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, କୋରାପୁଟ ଓ ମାଲକାନଗିରିରେ ୩୦ରୁ ୪୦ କିମି ବେଗରେ ପବନ ସହ ବଜ୍ରପାତ ଆଶଙ୍କା ରହିଛି। ସୋମବାର ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନ ସହ ଉତ୍ତର ଉପକୂଳ ଅଞ୍ଚଳ ଏବଂ ମୟୂରଭଞ୍ଜ, କେନ୍ଦୁଝରରେ ମଧ୍ୟ ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି। କେତେକ ସ୍ଥାନରେ ପବନର ବେଗ ୪୦ରୁ ୫୦ କିମି ପର୍ଯ୍ୟନ୍ତ ପହଞ୍ଚିପାରେ।

ଅନ୍ୟପଟେ ଆସନ୍ତା ତିନି ଦିନ ପରେ ରାଜ୍ୟରେ ଦିନ ତାପମାତ୍ରା କ୍ରମଶଃ ବୃଦ୍ଧି ପାଇବ। ପ୍ରାୟ ୨ରୁ ୩ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ପାରଦ ବଢ଼ିବାର ସମ୍ଭାବନା ରହିଛି।ଶନିବାର ରାଜ୍ୟର ୧୫ଟି ସ୍ଥାନରେ ତାପମାତ୍ରା ୩୬ ଡିଗ୍ରୀ ଉପରେ ରେକର୍ଡ ହୋଇଥିଲା। ସେଥିରୁ ତାଳଚେର ଓ ଭବାନୀପାଟଣା ସବୁଠାରୁ ଅଧିକ ଉତ୍ତପ୍ତ ସହର ଥିଲା, ଯେଉଁଠାରେ ପାରଦ ୩୯ ଡିଗ୍ରୀ ସେଲସିୟସ୍ ଛୁଇଁଥିଲା।

Leave a Reply

Your email address will not be published. Required fields are marked *