Sun. Apr 19th, 2026

ନ୍ୟୁଜ ଡେକ୍ସ : ରାଜ୍ୟର ମହିଳାମାନଙ୍କ ଆର୍ଥିକ ସଶକ୍ତିକରଣ ଓ ସ୍ୱାବଲମ୍ବନକୁ ଆହୁରି ମଜବୁତ କରିବା ପାଇଁ ରାଜ୍ୟ ସରକାରଙ୍କ ଅଭିନବ ପ୍ରୟାସ ‘ସୁଭଦ୍ରା ଯୋଜନା’ ଅଧୀନରେ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି। ଅଧିକ ସଂଖ୍ୟକ ଯୋଗ୍ୟ ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ କରିବା ପାଇଁ ସରକାରଙ୍କ ଅନୁମୋଦନ କ୍ରମେ ଆସନ୍ତା ଏପ୍ରିଲ ୧ ତାରିଖରୁ ନୂତନ ଆବେଦନ ଗ୍ରହଣ କରାଯିବ।

ସରକାରୀ ସୂଚନା ଅନୁଯାୟୀ, ୦୧ ଏପ୍ରିଲ ୨୦୨୬ ରୁ ୩୦ ଏପ୍ରିଲ ୨୦୨୬ ପର୍ଯ୍ୟନ୍ତ ପୁରା ଏକ ମାସ ଧରି ‘ସୁଭଦ୍ରା ପୋର୍ଟାଲ’ ମାଧ୍ୟମରେ ନୂତନ ଆବେଦନ ପଞ୍ଜୀକରଣ କରାଯିବ। ଏହି ସୁଯୋଗରେ ସେହି ମହିଳାମାନେ ଆବେଦନ କରିପାରିବେ, ଯେମାନେ ପୂର୍ବରୁ ଏହି ଯୋଜନା ପାଇଁ ଆବେଦନ କରିନାହାଁନ୍ତି।ଆବେଦନ ପାଇଁ ବୟସ ସୀମା ନିର୍ଦ୍ଧାରିତ ହୋଇଛି। ୦୧ ଏପ୍ରିଲ ୨୦୨୬ ସୁଦ୍ଧା ଆବେଦନକାରୀଙ୍କ ବୟସ ୨୧ ବର୍ଷରୁ ୬୦ ବର୍ଷ ମଧ୍ୟରେ ଥିବା ଆବଶ୍ୟକ।ଏହି ଯୋଜନା ଅଧୀନରେ ଯୋଗ୍ୟ ମହିଳାମାନେ ୨୦୨୬-୨୭ ଆର୍ଥିକ ବର୍ଷରୁ ପ୍ରତିବର୍ଷ ଦୁଇଟି କିସ୍ତିରେ ମୋଟ ୧୦,୦୦୦ ଟଙ୍କା ଆର୍ଥିକ ସହାୟତା ପାଇବେ। ଏହା ମହିଳାମାନଙ୍କ ଆତ୍ମନିର୍ଭରଶୀଳତାକୁ ବଢ଼ାଇବାରେ ମୂଲ୍ୟବାନ ସହଯୋଗ ଦେବ।

ନୂତନ ଆବେଦନଗୁଡ଼ିକ ସାଧାରଣ ସେବା କେନ୍ଦ୍ର (CSC) ଏବଂ ଆମ ସେବା କେନ୍ଦ୍ର (ASK) ମାଧ୍ୟମରେ ସୁଭଦ୍ରା ପୋର୍ଟାଲ ଜରିଆରେ ପଞ୍ଜୀକୃତ କରାଯିବ। ଆବେଦନ ପାଇଁ ଆବଶ୍ୟକ ଫର୍ମଗୁଡ଼ିକ ସମସ୍ତ ଅଙ୍ଗନୱାଡି କେନ୍ଦ୍ର ଓ CDPO କାର୍ଯ୍ୟାଳୟରେ ନିଶୁଳ୍କ ଭାବେ ଉପଲବ୍ଧ ରହିଛି।ସୁଭଦ୍ରା ଯୋଜନାକୁ ରାଜ୍ୟର ମହିଳାମାନଙ୍କ ପାଇଁ ଏକ ଐତିହାସିକ ପଦକ୍ଷେପ ଭାବେ ଦେଖାଯାଉଛି। କୌଣସି ଯୋଗ୍ୟ ହିତାଧିକାରୀ ବଞ୍ଚିତ ନ ହେବେ ବୋଲି ସରକାର ପକ୍ଷରୁ ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା କରାଯାଇଛି।

Leave a Reply

Your email address will not be published. Required fields are marked *