Mon. Apr 20th, 2026

ନ୍ୟୁଜ ଡେକ୍ସ : ଦୁଇ ଦିନର ସାମୟିକ ରାହାତ ପରେ ପୁଣି ସମଗ୍ର ରାଜ୍ୟରେ ଶୀତର ପ୍ରକୋପ ବଢ଼ିବାକୁ ଯାଉଛି। ଆକାଶରୁ ବାଦଲ ହଟିଲେ ରାତିର ତାପମାତ୍ରା ତଳକୁ ଖସିବା ସହ ଶୀତର ଅନୁଭୂତି ଅଧିକ ହେବ ବୋଲି ପାଣିପାଗ ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି। ମଙ୍ଗଳବାର ଓ ବୁଧବାର ଆଭ୍ୟନ୍ତରୀଣ ଏବଂ ଉପକୂଳ ଓଡ଼ିଶାର ଅନେକ ସ୍ଥାନରେ ପାରଦ ତଳମୁହାଁ ହେବାର ସମ୍ଭାବନା ରହିଛି।

ପୂର୍ବାନୁମାନ ଅନୁସାରେ, ଆଗାମୀ ୩ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ତାପମାତ୍ରା ୨ରୁ ୩ ଡିଗ୍ରି ସେଲସିୟସ ପର୍ଯ୍ୟନ୍ତ କମିପାରେ। ଶୀତର ତୀବ୍ରତା ବଢ଼ିବା ସହ କିଛି ଉଚ୍ଚ ପାହାଡ଼ିଆ ଓ ଆଭ୍ୟନ୍ତରୀଣ ଅଞ୍ଚଳରେ ତୁଷାରପାତ ମଧ୍ୟ ଦେଖିବାକୁ ମିଳିଛି।ତଥ୍ୟ ଅନୁଯାୟୀ, ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୬.୫ ଡିଗ୍ରି ସେଲସିୟସ ରେକର୍ଡ ହୋଇଥିବାବେଳେ ଫୁଲବାଣୀରେ ୭ ଡିଗ୍ରି,

ରାଉରକେଲାରେ ୮ ଡିଗ୍ରି, ଝାରସୁଗୁଡ଼ାରେ ୮.୩ ଡିଗ୍ରି, ନବରଙ୍ଗପୁରରେ ୮.୫ ଡିଗ୍ରି ଓ କିରେଇରେ ୯.୮ ଡିଗ୍ରି ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି। ଗତ କିଛି ଦିନ ଧରି ଆକାଶ ମେଘାଚ୍ଛନ୍ନ ରହିବାରୁ ରାଜ୍ୟର ଅଧିକାଂଶ ସ୍ଥାନରେ ରାତିର ତାପମାତ୍ରା କିଛିଟା ବଢ଼ିଥିଲା ଏବଂ ଶୀତର ତୀବ୍ରତା କମିଥିଲା। କିନ୍ତୁ ଆକାଶ ସ୍ପଷ୍ଟ ହେବା ସହ ପୁଣି ଶୀତ ଜୋର ଧରିବ ବୋଲି ପାଣିପାଗ ବିଶେଷଜ୍ଞମାନେ ସତର୍କ କରିଛନ୍ତି।

Leave a Reply

Your email address will not be published. Required fields are marked *