Sun. Apr 19th, 2026

ନ୍ୟୁଜ ଡେକ୍ସ : ରାଜ୍ୟରେ ଦିନକୁ ଦିନ ଖରାର ପ୍ରକୋପ ବଢୁଥିବା ବେଳେ ତାପମାତ୍ରା ମଧ୍ୟ ଲଗାତାର ବୃଦ୍ଧି ପାଉଛି। ଆଗାମୀ ଦିନରେ ତାତି ଆହୁରି ବଢିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆସନ୍ତା ତିନି ଦିନରେ ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢିବାର ସମ୍ଭାବନା ରହିଛି।ତାତି ବଢିବା ସତ୍ତ୍ୱେ ରାଜ୍ୟର ବିକ୍ଷିପ୍ତ ସ୍ଥାନଗୁଡିକରେ କାଳବୈଶାଖୀ ପ୍ରଭାବରେ ବର୍ଷା ହେବାର ଆଶଙ୍କା ରହିଛି।

ମାର୍ଚ୍ଚ ୨୭ ସକାଳରୁ ୨୮ ସକାଳ ପର୍ଯ୍ୟନ୍ତ ଝଡ଼, ବଜ୍ରପାତ ଓ ଜୋର ପବନ ସମ୍ଭାବନା ନେଇ ୧୫ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।ଏହି ଜିଲ୍ଲାଗୁଡିକ ହେଲା ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ବଲାଙ୍ଗିର, କନ୍ଧମାଳ, ରାୟଗଡ଼ା, ଗଞ୍ଜାମ ଓ ଗଜପତି। ଏସବୁ ଅଞ୍ଚଳରେ ପବନର ବେଗ ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର ରହିପାରେ।ବୁଧବାର ବାଲେଶ୍ୱର, ଭଦ୍ରକ, ଗଜପତି, ଗଞ୍ଜାମ, ମାଲକାନଗିରି, ରାୟଗଡ଼ା ଓ କୋରାପୁଟର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ୨୬ ତାରିଖରେ ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ ବର୍ଷା ଆଶଙ୍କା ରହିଛି।

୨୭ ତାରିଖରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ କୁଆପଥର ବର୍ଷା ହେବା ସହ ପବନ ବେଗ ୪୦ରୁ ୫୦ କିମି ପର୍ଯ୍ୟନ୍ତ ବଢିପାରେ। ୨୮ ତାରିଖରେ ମଧ୍ୟ ଦକ୍ଷିଣ ଓଡ଼ିଶାରେ ସମାନ ପରିସ୍ଥିତି ରହିବା ଆକଳନ କରାଯାଇଛି।ତେବେ ୨୪ ରୁ ୨୭ ସକାଳ ଓ ୨୯ ରୁ ୩୧ ସକାଳ ପର୍ଯ୍ୟନ୍ତ କୌଣସି ବିଶେଷ ଚେତାବନୀ ଜାରି ହୋଇନାହିଁ। ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।ମଙ୍ଗଳବାର ଟିଟିଲାଗଡ଼ ରାଜ୍ୟର ସବୁଠୁ ଅଧିକ ଉତ୍ତପ୍ତ ସ୍ଥାନ ରହିଥିଲା, ଯେଉଁଠାରେ ତାପମାତ୍ରା ୩୮.୫ ଡିଗ୍ରୀ ସେଲସିଅସ ରେକର୍ଡ ହୋଇଥିଲା। ଏହାସହ ଭବାନୀପାଟଣାରେ ୩୮ ଡିଗ୍ରୀ, ଅନୁଗୁଳରେ ୩୬.୧ ଓ ଭଦ୍ରକରେ ୩୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।

Leave a Reply

Your email address will not be published. Required fields are marked *