ନ୍ୟୁଜ ଡେକ୍ସ : ଆସନ୍ତାକାଲି ପବିତ୍ର ଶ୍ରୀରାମ ନବମୀ ଉତ୍ସବ ପାଳନକୁ ଦୃଷ୍ଟିରେ ରଖି ଲୋକସେବା ଭବନ ଠାରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଧ୍ୟକ୍ଷତା କରି ସାରା ରାଜ୍ୟରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ପୋଲିସ ପ୍ରଶାସନକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ଚନ୍ଦ୍ରଙ୍କ ଜନ୍ମତିଥିକୁ ଉଦ୍ୟାପନ କରାଯାଉଥିବା ଏହି ପବିତ୍ର ପର୍ବ ସାରା ଦେଶରେ ଭକ୍ତି ଓ ଶ୍ରଦ୍ଧାର ସହ ପାଳିତ ହୋଇଥାଏ।
ଏହି ଆଧ୍ୟାତ୍ମିକ ଅବସରରେ ଓଡ଼ିଶାର ଭକ୍ତମାନେ ଯେପରି ସୁରକ୍ଷିତ ଓ ଶାନ୍ତିପୂର୍ଣ୍ଣ ପରିବେଶରେ ପର୍ବ ପାଳନ କରିପାରିବେ, ସେଥିପାଇଁ ପୋଲିସ ପ୍ରଶାସନର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ସେ ଉଲ୍ଲେଖ କରିଥିଲେ।ଚଳିତ ବର୍ଷ ମଧ୍ୟ ବ୍ୟାପକ ପୋଲିସ ମୁତୟନ, ଟ୍ରାଫିକ ପରିଚାଳନା ଓ ସମ୍ବେଦନଶୀଳ ଅଞ୍ଚଳରେ ବିଶେଷ ନଜରଦାରି କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ଲୋକ ଯେପରି ବିନା ବାଧାରେ ଓ ସମ୍ପୂର୍ଣ୍ଣ ଶାନ୍ତିର ସହ ପର୍ବ ପାଳନ କରିପାରିବେ, ସେଥିପ୍ରତି ମୁଖ୍ୟମନ୍ତ୍ରୀ ବିଶେଷ ଗୁରୁତ୍ୱ ଦେଇଛନ୍ତି।
ବୈଠକରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଉପଦେଷ୍ଟା ପ୍ରକାଶ ମିଶ୍ର, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ପୋଲିସ ମହାନିର୍ଦ୍ଦେଶକ ୱାଇ.ବି. ଖୁରାନିଆ, ଆଇନ ଓ ଶୃଙ୍ଖଳା ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ସଞ୍ଜୟ କୁମାର, ଗୁଇନ୍ଦା ନିର୍ଦ୍ଦେଶକ ଆର୍.ପି. କୋଚେ ଏବଂ ଭୁବନେଶ୍ୱର-କଟକ ପୋଲିସ କମିଶନର ଦେବଦତ୍ତ ସିଂହ ଉପସ୍ଥିତ ଥିଲେ ଏବଂ ପର୍ବ ପାଳନକୁ ନେଇ ବିଭିନ୍ନ ପ୍ରସ୍ତୁତି ଉପରେ ଆଲୋଚନା କରିଥିଲେ।

