Sun. Apr 19th, 2026

ନ୍ୟୁଜ ଡେକ୍ସ : ଆଜି ପବିତ୍ର ଅଶୋକାଷ୍ଟମୀ ଅବସରରେ ଶ୍ରୀଲିଙ୍ଗରାଜ ମନ୍ଦିର ରୁ ମହାପ୍ରଭୁ ଶ୍ରୀଲିଙ୍ଗରାଜ ରଥରେ ବିଜେ ହେବେ। ତାଙ୍କ ସହ ରଥରେ ଶକ୍ତିସ୍ୱରୂପିଣୀ ମା’ ରୁକ୍ମିଣୀ ଓ ପ୍ରଭୁ ବାସୁଦେବ ବିରାଜିବେ। ଏହି ପବିତ୍ର ଅବସରରେ ଲକ୍ଷଲକ୍ଷ ଭକ୍ତଙ୍କ ସମାଗମରେ ରଥଦାଣ୍ଡ ଉତ୍ସାହ ଓ ଭକ୍ତିରେ ଭରିଉଠିବ।ହରିବୋଲ ଓ ହୁଳହୁଳିର ଧ୍ୱନି ସହ ମୃଦଙ୍ଗ, ଝାଞ୍ଜ, ଢୋଲ, ଭେରି ଓ ତୂରୀର ସୁମଧୁର ଝଙ୍କାରରେ ପରିବେଶ ମନୋମୋହନୀୟ ହେବ।

ଲୋକକଳା ଓ ଲୋକନୃତ୍ୟର ରଙ୍ଗିନ ଝଲକ ମଧ୍ୟ ଦେଖିବାକୁ ମିଳିବ। ରଥ ଆଗରେ ବିଶାଳ ପଟୁଆର ଚାଲିବା ସହ କେହି ଭକ୍ତ ନୃତ୍ୟରେ ମଗ୍ନ ହେବେ, ତ କେହି ଭକ୍ତ ଆନନ୍ଦାଶ୍ରୁରେ ଭିଜି ରଥକୁ ଚାହିଁ ରହିବେ।ନୀତି ନିର୍ଘଣ୍ଟ ଅନୁସାରେ, ଭୋର ୪ଟାରେ ଠାକୁରଙ୍କ ଆଳତି ଓ ଅବକାଶ ନୀତି ସମ୍ପନ୍ନ ହେବ। ସାଢେ ୪ଟାରୁ ସାହାଣମେଲା ଆରମ୍ଭ ହୋଇଥିବାବେଳେ, ପରବର୍ତ୍ତୀ ନୀତିଗୁଡିକ ସକାଳ ୫ଟା ୩୦ରୁ ୬ଟା ୩୦ ମଧ୍ୟରେ ମହାସ୍ନାନ, ବେଶ ଓ ପୂଜା ପାର୍ବଣ ସହ ଚାଲିଥିବ। ପୂର୍ବାହ୍ନ ୧୦ଟା ୪୫ରୁ ରଥ ନୀତି ଆରମ୍ଭ ହେବ ଏବଂ ପହଣ୍ଡି ବିଜେ ପରେ ମଧ୍ୟାହ୍ନ ସାଢେ ୨ଟାରେ ରଥ ଟଣା ହେବ।

ରଥ ରାମେଶ୍ୱର ମନ୍ଦିର ଅଭିମୁଖେ ଗତି କରିବ। ସନ୍ଧ୍ୟା ସମୟରେ ଠାକୁରଙ୍କ ବିଜେ ପରେ ଅନ୍ୟାନ୍ୟ ନୀତି ସମ୍ପନ୍ନ ହେବ।ଏହି ବିଶାଳ ଉତ୍ସବକୁ ସୁଚାରୁ ଭାବେ ସମ୍ପନ୍ନ କରିବା ପାଇଁ ମନ୍ଦିର ପ୍ରଶାସନ, ବିଏମ୍‌ସି ଓ କମିସନରେଟ୍‌ ପୁଲିସ ପକ୍ଷରୁ ସମସ୍ତ ପ୍ରସ୍ତୁତି ସମାପ୍ତ ହୋଇଛି। ସୁରକ୍ଷା ବ୍ୟବସ୍ଥା ମଜବୁତ କରାଯାଇଥିବାବେଳେ ଭକ୍ତମାନଙ୍କ ସୁବିଧା ପାଇଁ ବିଭିନ୍ନ ବ୍ୟବସ୍ଥା ମଧ୍ୟ କରାଯାଇଛି।

Leave a Reply

Your email address will not be published. Required fields are marked *