Sun. Apr 19th, 2026

ନ୍ୟୁଜ ଡେକ୍ସ : ଓଡ଼ିଶା ସରକାର ୧ ଏପ୍ରିଲ ୨୦୨୬ରୁ ୩୧ ମାର୍ଚ୍ଚ ୨୦୨୯ ପର୍ଯ୍ୟନ୍ତ ପାଇଁ ଏକ ତ୍ରୈବାର୍ଷିକ ଅବକାରୀ ନୀତି ଘୋଷଣା କରିଛନ୍ତି। ପୂର୍ବରୁ ଚାଲୁଥିବା ବାର୍ଷିକ ନୀତି ପରିବର୍ତ୍ତେ ଏହି ନୂଆ ବ୍ୟବସ୍ଥା ମାଧ୍ୟମରେ ନୀତିରେ ସ୍ଥିରତା ଓ ସ୍ୱଚ୍ଛତା ଆଣିବାକୁ ସରକାର ଉଦ୍ୟମ କରୁଛନ୍ତି। ନୂତନ ନୀତି ଆସିବା ପର୍ଯ୍ୟନ୍ତ ଏହା ଚାଲୁ ରହିବ ବୋଲି କୁହାଯାଇଛି।

ଏହି ନୀତି ଅଧୀନରେ ଅବକାରୀ ଶୁଳ୍କ ଉପରେ ୦.୫ ପ୍ରତିଶତ ଡି-ଆଡିକ୍ସନ ସେସ ଲାଗୁ କରାଯାଇଛି। ଏହା ମାଧ୍ୟମରେ ମଦକୁ କ୍ଷତିକାରକ ପଦାର୍ଥ ଭାବେ ସ୍ୱୀକାର କରାଯାଇଛି ଏବଂ ଏହି ସେସରୁ ଆସୁଥିବା ଆୟ ଡି-ଆଡିକ୍ସନ କେନ୍ଦ୍ର ସ୍ଥାପନ ଓ ସୁଦୃଢ଼ କରିବାରେ ବ୍ୟୟ ହେବ।ନୂଆ ନୀତି ଅନୁସାରେ ରାଜ୍ୟରେ ନୂଆ ଠିପି ଖୋଲା ଓ ଠିପି ବନ୍ଦ ମଦ ଦୋକାନ ଖୋଲିବାକୁ ଅନୁମତି ମିଳିବ ନାହିଁ। ଗ୍ରାମାଞ୍ଚଳରେ ମଧ୍ୟ ନୂଆ ମଦ ଦୋକାନ ଖୋଲିବାରେ ପ୍ରତିବନ୍ଧ ଲାଗୁ ରହିଛି। ଶ୍ରୀମନ୍ଦିର ଓ ବଡ଼ଦାଣ୍ଡ ପାଖରେ ମଦ ଦୋକାନ ଖୋଲିବାକୁ କଡ଼ା ନିଷେଧ ଜାରି ହୋଇଛି। ଅବକାରୀ ଲାଇସେନ୍ସ ପାଇଁ ଆବେଦନ ଶୁଳ୍କ ୧୦ ପ୍ରତିଶତ ବୃଦ୍ଧି କରାଯାଇଛି।

ଏହା ସହିତ ଏଣିକି ହୋମ୍ ଡେଲିଭରିରେ ମଦ ବିକ୍ରିକୁ ଅନୁମତି ଦିଆଯିବ ନାହିଁ। ସମସ୍ତ ଉତ୍ପାଦନ ୟୁନିଟ୍ ଓ ଖୁଚୁରା ଦୋକାନ ସିସିଟିଭି ନିରୀକ୍ଷଣ ଅଧୀନରେ ରହିବ।ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ ଲାଇସେନ୍ସ ଶୁଳ୍କ ପ୍ରତିବର୍ଷ ୧୦ରୁ ୨୦ ପ୍ରତିଶତ ପର୍ଯ୍ୟନ୍ତ ବଢିବ। IMFL ଓ ଦେଶୀ ମଦ ଉପରେ ମଧ୍ୟ ଅବକାରୀ ଶୁଳ୍କ ବୃଦ୍ଧି କରାଯାଇଛି। ନୂଆ ନୀତିରେ ମଦକୁ କ୍ଷତିକାରକ ପଦାର୍ଥ ଭାବେ ଗ୍ରହଣ କରି ସରକାର ସଚେତନତା ବଢାଇବା ଉଦ୍ୟମ କରୁଛନ୍ତି।

Leave a Reply

Your email address will not be published. Required fields are marked *