ନ୍ୟୁଜ ଡେକ୍ସ : ଟ୍ରଫ୍ ଲାଇନ ପ୍ରଭାବରେ ରାଜ୍ୟରେ କାଳବୈଶାଖୀ ଝଡବର୍ଷା ଜାରି ରହିଛି। ପାଣିପାଗ ବିଭାଗ ଅନୁସାରେ ଆସନ୍ତା ସପ୍ତାହ ଯାଏଁ ଏହାର ପ୍ରଭାବ ରହିପାରେ ଏବଂ ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ସମ୍ଭାବନା ରହିଛି।ଆଜି ପାଇଁ ୨୧ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଏବଂ ୨ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।
କୁଆପଥର ବର୍ଷା ସହିତ ବିଜୁଳି ଓ ଘଡ଼ଘଡ଼ି ହେବା ସହ ୩୦ରୁ ୫୦ କିମି ବେଗରେ ପବନ ବହିପାରେ।ଚଳିତ ସପ୍ତାହରେ ଦକ୍ଷିଣ ଗାଙ୍ଗେୟ ପଶ୍ଚିମବଙ୍ଗ ଓ ସଂଲଗ୍ନ ଉତ୍ତର ଓଡ଼ିଶା ଉପରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ଆଶଙ୍କା ରହିଛି। ଏହା ସହ ଏପ୍ରିଲ ୧ ତାରିଖ ପର୍ଯ୍ୟନ୍ତ ରାତିର ତାପମାତ୍ରା ସ୍ୱାଭାବିକଠାରୁ ୧.୬ରୁ ୩ ଡିଗ୍ରୀ ଅଧିକ ରହିପାରେ।ଏହାପରେ ୨ରୁ ୮ ତାରିଖ ମଧ୍ୟରେ ଦିନ ତାପମାତ୍ରା ବଢ଼ିବାର ସମ୍ଭାବନା ରହିଛି। ଆଭ୍ୟନ୍ତରୀଣ ଓଡ଼ିଶା ଓ ଉପକୂଳ ଅଞ୍ଚଳରେ ତାପମାତ୍ରା ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ବଢିପାରେ।ଗତ ଗୁରୁବାର ରାଜଧାନୀ ସହ ଅନେକ ସ୍ଥାନରେ ଭୀଷଣ କାଳବୈଶାଖୀ ଝଡବର୍ଷା ହୋଇଥିଲା।
ଶୁକ୍ରବାର ଉତ୍ତର ଓଡ଼ିଶାର ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ସୁନ୍ଦରଗଡ଼ ଭଳି ଜିଲ୍ଲାରେ କୁଆପଥର ବର୍ଷା ସହିତ ବିଜୁଳି ଓ ଘଡ଼ଘଡ଼ି ହେବାର ଆଶଙ୍କା ରହିଛି। ଉପକୂଳ ଓଡ଼ିଶାର ବହୁ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ବର୍ଷା ହେବା ସହ ଶନିବାର ମୟୂରଭଞ୍ଜ ଓ ବାଲେଶ୍ୱରରେ ମଧ୍ୟ ଘଡ଼ଘଡ଼ି ସହ ବର୍ଷା ହେବା ସମ୍ଭାବନା ରହିଛି।

