Sun. Apr 19th, 2026

ନ୍ୟୁଜ ଡେକ୍ସ : ଭାରତୀୟ ସ୍ଥଳସେନା ମୁଖ୍ୟ ଉପେନ୍ଦ୍ର ଦ୍ୱିବେଦୀ ଆଜିଠୁ ତିନି ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି। ସେ ନୂଆଦିଲ୍ଲୀରୁ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ। ବିମାନବନ୍ଦରରୁ ସଡ଼କ ପଥରେ ୧୨୦ ଇନଫେଣ୍ଟ୍ରି ବାଟାଲିୟନକୁ ଯାଇ ସେଠାରେ ରାତ୍ରି ଯାପନ କରିବେ।୨୮ ମାର୍ଚ୍ଚ ଭୋର ୫ଟା ୧୫ ମିନିଟ୍‌ରେ ସେ ପୁରୀ ଅଭିମୁଖେ ଯାତ୍ରା କରିବେ।

ସକାଳ ୭ଟାରୁ ୮ଟା ମଧ୍ୟରେ ଶ୍ରୀଜଗନ୍ନାଥ ମନ୍ଦିର ରେ ମହାପ୍ରଭୁଙ୍କ ଦର୍ଶନ କରିବେ। ଏହାପରେ ପୁରୀ ତାଳବଣିଆ ହେଲିପ୍ୟାଡରୁ ହେଲିକପ୍ଟର ଯୋଗେ ଗୋପାଳପୁର ମିଲିଟାରୀ ଷ୍ଟେସନକୁ ପହଞ୍ଚିବେ।ଗୋପାଳପୁରରେ ସେ ତାଲିମ ସୁବିଧା ପରିଦର୍ଶନ କରିବା ସହିତ ଅଧିକାରୀମାନଙ୍କ ସହ ଆଲୋଚନା କରିବେ। ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରିବା ସହ ଅଫିସରମାନଙ୍କୁ ଉଦବୋଧନ ଦେବେ।

ଅପରାହ୍ନରେ ଏୟାର ଡିଫେନ୍ସ ଫାୟାରିଂ ଏବଂ ସାମରିକ ଉପକରଣ ପ୍ରଦର୍ଶନୀକୁ ଅନୁଧ୍ୟାନ କରିବେ।ଏହି ଗସ୍ତରେ ସେନା ମୁଖ୍ୟଙ୍କ ସହ ତାଙ୍କ ପତ୍ନୀ, ତିନିଜଣ ଷ୍ଟାଫ୍ ଅଫିସର ଏବଂ ତିନିଜଣ ଯବାନ ମଧ୍ୟ ଓଡ଼ିଶା ଆସୁଛନ୍ତି। ୨୯ ମାର୍ଚ୍ଚ ସକାଳେ ସେ ଗୋପାଳପୁରରୁ ହେଲିକପ୍ଟର ଯୋଗେ ଭୁବନେଶ୍ୱର ଫେରିବେ ଏବଂ ସେଠାରୁ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ।

Leave a Reply

Your email address will not be published. Required fields are marked *