Sun. Apr 19th, 2026

ନ୍ୟୁଜ ଡେକ୍ସ : ଆଜି ପବିତ୍ର ଶ୍ରୀରାମ ନବମୀ ଅବସରରେ ସାରା ରାଜ୍ୟ ଭକ୍ତିମୟ ପରିବେଶରେ ମଗ୍ନ ହୋଇଉଠିଛି। ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ଜନ୍ମୋତ୍ସବକୁ ନେଇ ସବୁଠାରେ “ଜୟ ଶ୍ରୀରାମ” ଧ୍ୱନିରେ ପରିବେଶ ପ୍ରକମ୍ପିତ ହେଉଛି। ପୁରଠୁ ପଲ୍ଲୀ ପର୍ଯ୍ୟନ୍ତ ଭକ୍ତମାନେ ବ୍ରତ ଓ ଉପବାସ ରଖି ପୂଜାର୍ଚ୍ଚନାରେ ମଗ୍ନ ହୋଇଛନ୍ତି।

ସକାଳୁ ମନ୍ଦିରଗୁଡିକରେ ଭକ୍ତମାନଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଛି। ହାତରେ ଫୁଲ, ଧୂପ ଓ ପ୍ରସାଦ ନେଇ ଭକ୍ତମାନେ ଶ୍ରୀରାମଙ୍କ ଦର୍ଶନ ପାଇଁ ଅତ୍ୟନ୍ତ ଆତୁର ହୋଇ ରହିଛନ୍ତି। ଭଜନ କୀର୍ତନ, ରାମାୟଣ ପାଠ ଓ ଅଖଣ୍ଡ ନାମ ସଙ୍କୀର୍ତନରେ ସମଗ୍ର ପରିବେଶ ଧାର୍ମିକ ମାହୋଲରେ ଭରିଯାଇଛି।ରାଜଧାନୀ ଭୁବନେଶ୍ୱରର ରାମ ମନ୍ଦିରରେ ମଧ୍ୟ ସକାଳୁ ଭକ୍ତମାନଙ୍କର ବେଶ ଭିଡ଼ ଦେଖିବାକୁ ମିଳିଛି। ଭକ୍ତମାନଙ୍କ ସୁବିଧା ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା କରାଯାଇଥିବା ବେଳେ ମନ୍ଦିର ପରିସରରେ ବ୍ୟାରିକେଟ ବ୍ୟବସ୍ଥା ସହ ପୋଲିସ ମୁତୟନ ରହିଛନ୍ତି। ଆଜିର ଦିନରେ ବିଶେଷ ନୀତିକାନ୍ତି ଓ ପୂଜା ପାଳନ କରାଯାଉଛି।

ହିନ୍ଦୁ ପରମ୍ପରା ଅନୁସାରେ ଚୈତ୍ର ମାସର ଶୁକ୍ଳ ପକ୍ଷ ନବମୀ ତିଥିରେ ତ୍ରେତୟା ଯୁଗରେ ରଘୁକୁଳରେ ଭଗବାନ ବିଷ୍ଣୁଙ୍କ ଅବତାର ଭାବେ ଶ୍ରୀରାମଙ୍କ ଜନ୍ମ ହୋଇଥିଲା। ଅଯୋଧ୍ୟାର ରାଜା ଦଶରଥଙ୍କ ଘରେ ଜନ୍ମଗ୍ରହଣ କରିଥିବା ଶ୍ରୀରାମଙ୍କ ଜନ୍ମ ଦୁଷ୍ଟ ରାବଣ ବଧ ପାଇଁ ହୋଇଥିଲା ବୋଲି କୁହାଯାଏ। ଏହି ଉତ୍ସବ ଧର୍ମର ବିଜୟ ଓ ଅଧର୍ମର ପରାଜୟକୁ ପ୍ରତିପାଦନ କରେ।ରାମନବମୀ ଉପଲକ୍ଷେ ନବଦିନ ବ୍ୟାପୀ ଭଜନ କୀର୍ତନ, ଅଖଣ୍ଡ ପାଠ ଓ ବିଶେଷକରି ରାମଚରିତମାନସ ପାଠ କରାଯାଉଛି।

ଘରେ ଘରେ ପୂଜାର୍ଚ୍ଚନା ସହିତ ଅଶୋକପୁଷ୍ପ, ତୁଳସୀ, କୁଶ ଓ ବିଭିନ୍ନ ଫଳମୂଳ ଦ୍ୱାରା ଶ୍ରୀରାମ, ସୀତା, ଲକ୍ଷ୍ମଣ ଓ ହନୁମାନଙ୍କ ପୂଜା କରାଯାଉଛି।ଦେଶର ବିଭିନ୍ନ ସ୍ଥାନ ସହିତ ଅଯୋଧ୍ୟାରେ ମଧ୍ୟ ବଡ଼ ଧୂମ୍ଧାମରେ ଏହି ପବିତ୍ର ଉତ୍ସବ ପାଳିତ ହେଉଛି। ସ୍ଥାନେ ସ୍ଥାନେ ଯାତ୍ରା, ପାଲା, ନୃତ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଶ୍ରୀରାମଙ୍କ ଜନ୍ମୋତ୍ସବକୁ ଉତ୍ସବମୟ ଭାବେ ପାଳନ କରାଯାଉଛି।

Leave a Reply

Your email address will not be published. Required fields are marked *