ନ୍ୟୁଜ ଡେକ୍ସ : ଦୀର୍ଘ ୧୭ ବର୍ଷ ପରେ ପର୍ଯ୍ୟଟନ ଭବନରୁ ଭାରତୀୟ ପର୍ଯ୍ୟଟନ କାର୍ଯ୍ୟାଳୟ ଅଲଗା ହେବାକୁ ଯାଉଛି। ଏନେଇ ରାଜ୍ୟ ପର୍ଯ୍ୟଟନ ବିଭାଗ ସଚିବ ପକ୍ଷରୁ ଅଚାନକ ଭାବେ କାର୍ଯ୍ୟାଳୟ ଖାଲି କରିବାକୁ ନୋଟିସ ଜାରି କରାଯାଇଛି।ସୂଚନା ଅନୁଯାୟୀ, ଭାରତୀୟ ପର୍ଯ୍ୟଟନ ବିଭାଗର ସହକାରୀ ନିର୍ଦ୍ଦେଶକଙ୍କୁ ଏହି ନୋଟିସ ପଠାଯାଇଥିବା ବେଳେ ଜୁନ୍ ମାସ ଶେଷ ସୁଦ୍ଧା କାର୍ଯ୍ୟାଳୟ ଖାଲି କରିବାକୁ କୁହାଯାଇଛି।
ବିଦେଶୀ ପର୍ଯ୍ୟଟକଙ୍କୁ ସମସ୍ତ ସୁବିଧା ଯୋଗାଇବା ଉଦ୍ଦେଶ୍ୟରେ ୨୦୦୮ ମସିହାରେ ଭାରତ ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ ପର୍ଯ୍ୟଟନ ଭବନରେ ଏହି କାର୍ଯ୍ୟାଳୟ ଖୋଲାଯାଇଥିଲା। ପର୍ଯ୍ୟଟନ ଭବନର ତଳ ମହଲାର ପ୍ରାୟ ୧୨୦୦ ସ୍କୋୟାର ଫୁଟ୍ ସ୍ଥାନକୁ ରାଜ୍ୟ ପର୍ଯ୍ୟଟନ ବିଭାଗ ଭଡ଼ାରେ ଦେଇଥିଲା।ଏହି ସ୍ଥାନ ପାଇଁ ଭାରତୀୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ପ୍ରତିମାସ ୨୯ ହଜାର ୩୦୯ ଟଙ୍କା ଭଡ଼ା ଦିଆଯାଉଥିଲା।
ତଥାପି ଏବେ ହଠାତ୍ କାର୍ଯ୍ୟାଳୟ ଖାଲି କରିବାକୁ ନିର୍ଦ୍ଦେଶ ଆସିଥିବାରୁ ଏହା ପଛରେ କାରଣ କଣ ତାହା ନେଇ ଚର୍ଚ୍ଚା ଚାଲିଛି।ଏହି ପଦକ୍ଷେପ ପର୍ଯ୍ୟଟନ କ୍ଷେତ୍ରରେ କେତେଦୂର ପ୍ରଭାବ ପକାଇବ ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ ବୋଲି ମନ୍ତବ୍ୟ କରାଯାଉଛି।

