ନ୍ୟୁଜ ଡେକ୍ସ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଗୁରୁବାର ଦିନ ୨୦୨୭ ଜନଗଣନା ପାଇଁ ଚାରୋଟି ଡିଜିଟାଲ୍ ଉପକରଣ ସଫ୍ଟ-ଲଞ୍ଚ କରିଛନ୍ତି। ପ୍ରଥମ ଥର ପାଇଁ ଦେଶରେ ଜନଗଣନା ପ୍ରକ୍ରିୟାରେ ଡିଜିଟାଲ୍ ବ୍ୟବସ୍ଥା ଅନୁସ୍ଥାପିତ ହେବାକୁ ଯାଉଛି। ଏହାଅନୁଯାୟୀ ଲୋକମାନେ ଜନଗଣନା କର୍ମୀମାନେ ଘରେ ପହଞ୍ଚିବା ପୂର୍ବରୁ ଆତ୍ମ-ଗଣନା ପୋର୍ଟାଲ ମାଧ୍ୟମରେ ଅନଲାଇନରେ ନିଜ ସୂଚନା ପୂରଣ କରିପାରିବେ।ପରେ ଜନଗଣନା କର୍ମୀମାନେ ଘରକୁ ପରିଦର୍ଶନ କରି ସେହି ସୂଚନାକୁ ଯାଞ୍ଚ କରିବେ।
ସବୁକିଛି ଠିକ୍ ଥିଲେ ଏହାକୁ ଅନୁମୋଦନ କରାଯିବ। ଏହି ବ୍ୟବସ୍ଥା ଫଳରେ ଜନଗଣନା କର୍ମୀଙ୍କ ସମୟ ବଞ୍ଚିବା ସହ ଲୋକମାନଙ୍କ ପାଇଁ ପ୍ରଶ୍ନର ଉତ୍ତର ଦେବା ମଧ୍ୟ ସହଜ ହେବ।ସ୍ୱୟଂ-ଗଣନା ପୋର୍ଟାଲ ଅଧୀନରେ ଜନଗଣନା ପରିଚାଳନା ଓ ମନିଟରିଂ ସିଷ୍ଟମ୍ (CMMS) ପୋର୍ଟାଲକୁ ମଧ୍ୟ ଲୋକଙ୍କ ପାଇଁ ଉପଲବ୍ଧ କରାଯିବ। ଏହା ଏକ କେନ୍ଦ୍ରୀକୃତ ଓ ୱେବ୍-ଆଧାରିତ ଡିଜିଟାଲ୍ ପ୍ଲାଟଫର୍ମ ଭାବେ କାମ କରିବ।ଏହା ସହ ଗୃହମନ୍ତ୍ରୀ ଅମିତ ଶାହ ଏହି ଡିଜିଟାଲ୍ ଉପକରଣମାନଙ୍କର ମାସ୍କଟକୁ ମଧ୍ୟ ଉନ୍ମୋଚନ କରିଛନ୍ତି।
ମାସ୍କଟରେ ଜନଗଣନାରେ ସାମିଲ ମହିଳା ଓ ପୁରୁଷଙ୍କୁ ପ୍ରଗତି ଓ ବିକାଶର ପ୍ରତୀକ ଭାବେ ପ୍ରଦର୍ଶିତ କରାଯାଇଛି। ଏହା ୨୦୪୭ ସୁଦ୍ଧା ଭାରତକୁ ବିକଶିତ ରାଷ୍ଟ୍ର କରିବାର ସଂକଳ୍ପ ପୂରଣରେ ମହିଳା ଓ ପୁରୁଷଙ୍କ ସମାନ ଅଂଶଗ୍ରହଣକୁ ମଧ୍ୟ ପ୍ରତିନିଧିତ୍ୱ କରେ। ଏହି ପ୍ରତୀକ ମାଧ୍ୟମରେ ଜନଗଣନା ସମ୍ବନ୍ଧୀୟ ସୂଚନା, ଉଦ୍ଦେଶ୍ୟ ଓ ପ୍ରମୁଖ ବାର୍ତ୍ତା ସମାଜର ବିଭିନ୍ନ ବର୍ଗଙ୍କ ନିକଟକୁ ସହଜ ଓ ପ୍ରଭାବଶାଳୀ ଭାବରେ ପହଞ୍ଚାଇବା ଲକ୍ଷ୍ୟ ରଖାଯାଇଛି।

