ନ୍ୟୁଜ ଡେକ୍ସ : ପଶ୍ଚିମ ଏସିଆରେ ଯୁଦ୍ଧର ଘନଘଟା ମଧ୍ୟରେ ମଧ୍ୟପ୍ରାଚ୍ୟ ଅଞ୍ଚଳରୁ ସାରା ବିଶ୍ୱକୁ ତେଲ ଯୋଗାଣ ପ୍ରଭାବିତ ହୋଇଛି। ବିଶେଷକରି ହର୍ମୁଜ୍ ପ୍ରଣାଳୀ ବନ୍ଦ ହେବାରୁ ତେଲ ଟ୍ୟାଙ୍କର ଚଳାଚଳରେ ଘୋର ବ୍ୟାଘାତ ସୃଷ୍ଟି ହୋଇଛି। ଏହାକୁ ନେଇ ଭାରତରେ ମଧ୍ୟ ତେଲ ସଂକଟ ଦେଖାଦେବ ବୋଲି ଆଶଙ୍କା ପ୍ରକାଶ ପାଇଛି।
ଏହି ପରିସ୍ଥିତିରେ ଭାରତ ପୁଣିଥରେ ରୁଷ୍ରୁ ତେଲ ଆମଦାନି ବଢ଼ାଇବାକୁ ଯୋଜନା କରିଛି। ଆମେରିକା–ଇସ୍ରାଏଲ୍–ଇରାନ୍ ମଧ୍ୟରେ ବଢ଼ୁଥିବା ଯୁଦ୍ଧ ପରିପ୍ରେକ୍ଷୀରେ ମଧ୍ୟପ୍ରାଚ୍ୟ ଉପରେ ନିର୍ଭରଶୀଳତା କମାଇ ରୁଷ୍ ଉପରେ ଭରସା ବଢ଼ାଇବାକୁ ଭାରତ ନିଷ୍ପତ୍ତି ନେଇଛି। ଭାରତ ତାହାର ମୋଟ ଆବଶ୍ୟକତାର ପ୍ରାୟ ୯୦ ପ୍ରତିଶତ ତେଲ ବିଦେଶରୁ ଆମଦାନି କରିଥାଏ।ଇତିମଧ୍ୟରେ ରୁଷ୍ରୁ ଦୁଇଟି ତେଲବାହୀ ଜାହାଜ ଭାରତ ଅଭିମୁଖେ ଆସିଥିବା ସୂଚନା ମିଳିଛି। ସେଥିରୁ ଗୋଟିଏ ଜାହାଜ ପୂର୍ବ ଉପକୂଳର ପାରାଦୀପ ବନ୍ଦରରେ ଲାଗିଛି।
ସୁଏଜ୍ ମାକ୍ସ ଟ୍ୟାଙ୍କର୍ ନାମକ ଏହି ଜାହାଜରେ ପ୍ରାୟ ୭ ଲକ୍ଷ ୩୦ ହଜାର ବ୍ୟାରେଲ୍ ତେଲ ରହିଛି। ପୂର୍ବରୁ ସିଙ୍ଗାପୁର ଅଭିମୁଖେ ଯାଉଥିବା ଏହି ଜାହାଜର ଦିଗ ପରିବର୍ତ୍ତନ କରି ପାରାଦୀପକୁ ଆଣାଯାଇଥିବା ଜଣାପଡ଼ିଛି। ସେହିପରି ଅନ୍ୟ ଏକ ଟ୍ୟାଙ୍କର୍ ମାଧ୍ୟମରେ ମଧ୍ୟ ପ୍ରାୟ ୭ ଲକ୍ଷ ବ୍ୟାରେଲ୍ ତେଲ ଭାରତକୁ ପହଞ୍ଚିଛି। ଦେଶରେ ଶକ୍ତି ସଂକଟ ଦେଖାନ ପାଇଁ ସରକାର ଏଭଳି ବିକଳ୍ପ ବ୍ୟବସ୍ଥା କରୁଥିବା ଜଣାପଡ଼ିଛି। ଏହା ମାଧ୍ୟମରେ ତେଲ ଯୋଗାଣ ସ୍ଥିର ରଖିବାକୁ ପ୍ରୟାସ କରାଯାଉଛି।

