ନ୍ୟୁଜ ଡେକ୍ସ : ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ପାଇଁ ଆସିଛି ବଡ଼ ଖବର। ଆସନ୍ତା ୨୦ ତାରିଖରେ ପ୍ରକାଶ ପାଇବ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଫଳ। ସିଏଚ୍ଏସ୍ଇ ପରିସରରେ ମଧ୍ୟାହ୍ନ ୧୨ଟା ୩୦ ମିନିଟ୍ରୁ ୧ଟା ମଧ୍ୟରେ ଔପଚାରିକ ଭାବେ ଏହି ଫଳାଫଳ ଘୋଷଣା କରାଯିବ। ଏହାପରେ ପରୀକ୍ଷାର୍ଥୀମାନେ ପରିଷଦର ସରକାରୀ ୱେବସାଇଟ୍କୁ ଯାଇ ନିଜର ରେଜଲ୍ଟ ଦେଖିପାରିବେ।
ଚଳିତ ବର୍ଷ ବୋର୍ଡ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଏଥର ବିଜ୍ଞାନ, ବାଣିଜ୍ୟ, କଳା ଓ ଧନ୍ଦାମୂଳକ ଶିକ୍ଷା ବିଭାଗର ପରୀକ୍ଷା ଫଳ ଏକାସାଙ୍ଗରେ ପ୍ରକାଶ ପାଇବ। ଏହି ନିଷ୍ପତ୍ତି ଫଳରେ ସମସ୍ତ ବିଭାଗର ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଅପେକ୍ଷାର ଅନ୍ତ ଘଟିବ।ସୂଚନା ଅନୁଯାୟୀ, ଚଳିତ ବର୍ଷ ରାଜ୍ୟର ମୋଟ ୪ ଲକ୍ଷ ୧୬ ହଜାର ୨୩ ଜଣ ପରୀକ୍ଷାର୍ଥୀ ଯୁକ୍ତ ଦୁଇ ପରୀକ୍ଷା ଦେଇଛନ୍ତି। ପରୀକ୍ଷା ଶେଷ ପରେ ଖାତା ଦେଖା ପ୍ରକ୍ରିୟାକୁ ଯୁଦ୍ଧକାଳୀନ ଭିତ୍ତିରେ ଶେଷ କରାଯାଇଥିଲା।
ବର୍ତ୍ତମାନ ଫଳ ପ୍ରକାଶ ପାଇଁ ସମସ୍ତ ବୈଷୟିକ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଛାତ୍ରଛାତ୍ରୀମାନେ www.orissaresults.nic.in ଏବଂ chseodisha.nic.in ୱେବସାଇଟ୍ରେ ନିଜର ରୋଲ୍ ନମ୍ବର ଓ ସିରିଏଲ୍ କୋଡ୍ ଦେଇ ମାର୍କସିଟ୍ ଡାଉନଲୋଡ୍ କରିପାରିବେ। ୪ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବାକୁ ଥିବାରୁ ସାରା ରାଜ୍ୟରେ ଏବେ ରେଜଲ୍ଟକୁ ନେଇ ଉତ୍ସୁକତା ଓ ଉତ୍କଣ୍ଠା ବଢ଼ିଛି।

