Sat. Feb 21st, 2026

ନ୍ୟୁଜ ଡେକ୍ସ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ଦିନ #SkilltheNation AI ଚ୍ୟାଲେଞ୍ଜର ଶୁଭାରମ୍ଭ କରିବା ସହିତ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ଇଗ୍ନୋ (IGNOU) ଆଞ୍ଚଳିକ କେନ୍ଦ୍ର ଓ ଦକ୍ଷତା କେନ୍ଦ୍ରର ଭର୍ଚୁଆଲ୍ ଉଦଘାଟନ କରିଛନ୍ତି। ରାଷ୍ଟ୍ରପତି ଭବନ ସାଂସ୍କୃତିକ କେନ୍ଦ୍ରରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ପକ୍ଷରୁ ‘ସ୍କିଲିଂ ଫର୍ ଏଆଇ ରିଡନେସ୍’ (SoAR) ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅଧୀନରେ ଆୟୋଜିତ ହୋଇଥିଲା।

ଏହି ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ।ରାଷ୍ଟ୍ରପତି ମୁର୍ମୁ କହିଥିଲେ ଯେ, ରାଇରଙ୍ଗପୁରରେ ଇଗ୍ନୋର ନୂତନ କେନ୍ଦ୍ର ପ୍ରତିଷ୍ଠା ଦ୍ୱାରା ଅଞ୍ଚଳରେ ରୋଜଗାର ଓ ଉଦ୍ୟମିତାର ବଡ଼ ସୁଯୋଗ ସୃଷ୍ଟି ହେବ। ପ୍ରଥମଥର ପାଇଁ ଇଗ୍ନୋ ମାଧ୍ୟମରେ ଔପଚାରିକ ଶିକ୍ଷା ସହିତ ଦକ୍ଷତା ଆଧାରିତ ଶିକ୍ଷା ଦିଆଯିବ, ଯାହା ସମାଜରେ ଏକ ମୂଲ୍ୟବାନ ପରିବର୍ତ୍ତନ ଆଣିବ। ଜଣେ ଶିକ୍ଷୟିତ୍ରୀ ଭାବେ ନିଜ ଜୀବନର ମୂଲ୍ୟବୋଧ ଓ ଶିକ୍ଷା ପ୍ରତି ଦୃଢ଼ ସମର୍ପଣର ଉଦାହରଣ ଦେଇ ସେ କହିଥିଲେ ଯେ, ଏହି କେନ୍ଦ୍ରଗୁଡ଼ିକ ସମାଜର ଅନ୍ତିମ ଶ୍ରେଣୀରେ ଥିବା ଲୋକମାନଙ୍କୁ ବିଶେଷ ଭାବେ ଉପକୃତ କରିବ। ସେ କହିଥିଲେ ଯେ, ମୟୂରଭଞ୍ଜର ପ୍ରାକୃତିକ ସମ୍ପଦ ଓ ଶ୍ରମଶକ୍ତିର ସଠିକ୍ ବିନିଯୋଗ ପାଇଁ ସ୍ଥାନୀୟ ଜନଜାତି ଓ ଗ୍ରାମୀଣ ଯୁବକ-ଯୁବତୀଙ୍କୁ ଏଆଇ ଏବଂ ଆଧୁନିକ ପ୍ରଯୁକ୍ତି ସହିତ ଯୋଡ଼ାଯିବ। ଏହା ତାଙ୍କର କ୍ଷମତା ବୃଦ୍ଧି କରିବା ସହିତ ସ୍ୱାବଳମ୍ବନର ପଥ ଖୋଲିଦେବ।

ସମାବେଶକୁ ସମ୍ବୋଧିତ କରି ରାଷ୍ଟ୍ରପତି କହିଥିଲେ ଯେ, କୃତ୍ରିମ ବୁଦ୍ଧିମତା ଆଜି ଶିକ୍ଷା, କାର୍ଯ୍ୟ ପ୍ରଣାଳୀ, ସେବା ପ୍ରଦାନ ଓ ସମସ୍ୟା ସମାଧାନ ପ୍ରକ୍ରିୟାକୁ ପରିବର୍ତ୍ତନ କରି ବିଶ୍ୱର ଅର୍ଥନୀତି ଓ ସମାଜକୁ ପୁନଃଆକୃତି ଦେଉଛି। ଭାରତ ପାଇଁ, ବିଶେଷକରି ଦେଶର ଯୁବ ଜନସଂଖ୍ୟାକୁ ଦୃଷ୍ଟିରେ ରଖି, ଏଆଇ ଏକ ବଡ଼ ସୁଯୋଗ ବୋଲି ସେ ଉଲ୍ଲେଖ କରିଥିଲେ।ଏହି ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ, ଭାରତ ବର୍ତ୍ତମାନ ‘ଏଆଇ ଇମ୍ପାକ୍ଟ’ ସମ୍ମିଳନୀ ମାଧ୍ୟମରେ ଆଗକୁ ବଢ଼ୁଛି।

ବିଶ୍ୱ ଯେଉଁଠି ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସକୁ ନେଇ ଆଶଙ୍କା ପ୍ରକାଶ କରୁଛି, ସେଠାରେ ଭାରତ ଏହାକୁ ଏକ ସୁଯୋଗ ଭାବେ ଗ୍ରହଣ କରିବା ଦରକାର। ନୂଆ ପିଢ଼ିକୁ ଏଆଇ ମାଧ୍ୟମରେ ଦକ୍ଷ କରିବା ସହିତ ‘ଏଆଇ ଫର୍ ଅଲ୍’ ଆଗାମୀ ଦିନରେ ଦେଶ ପାଇଁ ଏକ ବଡ଼ ‘ଗେମ୍ ଚେଞ୍ଜର’ ସାବ୍ୟସ୍ତ ହେବ ବୋଲି ସେ କହିଥିଲେ।

Leave a Reply

Your email address will not be published. Required fields are marked *