ନ୍ୟୁଜ ଡେକ୍ସ : ଆଜି ରାଜ୍ୟର ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଦେଶଭକ୍ତିର ଭାବନା ଉଚ୍ଚ ସ୍ୱରରେ ପ୍ରକାଶ ପାଇଛି। ‘ବନ୍ଦେ ମାତରମ୍’ର ୧୫୦ତମ ବାର୍ଷିକୀ ଅବସରରେ ସାମୂହିକ ଭାବେ ଏହି ଜାତୀୟ ଗୀତ ଗାନ କରାଯାଇ, ଶିକ୍ଷାନୁଷ୍ଠାନଗୁଡ଼ିକ ଦେଶଭକ୍ତିର ରଙ୍ଗରେ ରଙ୍ଗିତ ହୋଇଯାଇଥିଲା।ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ସହିତ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଉତ୍ସାହର ସହଭାଗୀ ହୋଇଥିଲେ।
‘ବନ୍ଦେ ମାତରମ୍’ ଗାନ ସହ ଛାତ୍ରଛାତ୍ରୀମାନେ ଆତ୍ମନିର୍ଭର ଭାରତ ଓ ସ୍ବଦେଶୀ ଚେତନା ସମ୍ପର୍କିତ ସଙ୍କଳ୍ପ ପାଠ କରି ଦେଶ ପ୍ରତି ନିଜ ଦାୟିତ୍ୱକୁ ପୁନଃ ମନେ ପକାଇଥିଲେ।ଏହି ଉଦ୍ୟମ ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସହ ଉଚ୍ଚଶିକ୍ଷା ବିଭାଗକୁ ଆଗୁଆ ନିର୍ଦ୍ଦେଶ ଦିଆଯାଇଥିଲା।
ଏହା ସହିତ ଶିକ୍ଷାନୁଷ୍ଠାନଗୁଡ଼ିକରେ ସାମୂହିକ ଗାନ ସୁଚାରୁ ଭାବେ କରାଯିବା ଉଦ୍ଦେଶ୍ୟରେ ରାଜ୍ୟବ୍ୟାପୀ ‘ବନ୍ଦେ ମାତରମ୍ ପ୍ରଶିକ୍ଷଣ କାର୍ଯ୍ୟକ୍ରମ’ ମଧ୍ୟ ଆୟୋଜିତ ହୋଇଥିଲା। ଏହି ସମଗ୍ର ପଦକ୍ଷେପ ମାଧ୍ୟମରେ ଯୁବପିଢ଼ି ମନରେ ଦେଶପ୍ରେମ, ଏକତା ଓ ସଂସ୍କୃତି ପ୍ରତି ସମ୍ମାନ ଅଧିକ ମଜବୁତ ହୋଇଥିବା ଦେଖାଯାଇଛି।

