ନ୍ୟୁଜ ଡେକ୍ସ : କଳାହାଣ୍ଡି ଜିଲ୍ଲାର କେସିଙ୍ଗା ରେଳ ଷ୍ଟେସନରେ ରବିବାର ସନ୍ଧ୍ୟାରେ ପୋଲିସକୁ ମିଳିଛି ବଡ଼ ସଫଳତା। ଆନ୍ତଃରାଜ୍ୟ ଗଞ୍ଜେଇ ଚାଲାଣ ଅଭିଯୋଗରେ ୫ ଜଣ ଯୁବକଙ୍କୁ କେସିଙ୍ଗା ପୋଲିସ ଗିରଫ କରିଛି। ଅଭିଯୁକ୍ତମାନଙ୍କ ନିକଟରୁ ପ୍ରାୟ ୧୦ କିଲୋଗ୍ରାମ ଗଞ୍ଜେଇ ଜବତ କରାଯାଇଛି।ପୋଲିସ ସୂଚନା ଅନୁଯାୟୀ, ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ ମହାରାଷ୍ଟ୍ରର ନାଗପୁର ଜିଲ୍ଲାର ବାସିନ୍ଦା।
ସେମାନେ ହେଲେ ରାହୁଲ ସୁରେଶ ରାଉତ (୨୭), ଅଙ୍କେଶ ରାମସିଂ ପାଲ (୨୩), ବିକାଶ ଦିଲୀପ ନନ୍ଦଗୌରୀ (୧୯), ଦୀପସିଂ ଟାକ (୨୧) ଓ ଗୁରପ୍ରିତ୍ ସିଂ ଟାକ (୩୧)।ଖବରମୁତାବକ, ଅଭିଯୁକ୍ତମାନେ ରାୟପୁର ମାର୍ଗରେ ନାଗପୁର ଯିବା ପାଇଁ କେସିଙ୍ଗା ରେଳ ଷ୍ଟେସନରେ ଟ୍ରେନ ଅପେକ୍ଷା କରୁଥିବାବେଳେ ପୋଲିସର ହାତେ ଧରାପଡ଼ିଥିଲେ। ବିଶେଷ ସୂତ୍ରରୁ ସୂଚନା ପାଇ କେସିଙ୍ଗା ପୋଲିସ ତୁରନ୍ତ ଚଢ଼ାଉ କରି ଗଞ୍ଜେଇ ସହିତ ସେମାନଙ୍କୁ ଗିରଫ କରିଥିଲା।
ଏହି ଅଭିଯାନରେ କେସିଙ୍ଗା ଥାନା ଆଇଆଇସି ଜୀତେନ୍ଦ୍ର ବିଶ୍ୱାଳଙ୍କ ନେତୃତ୍ୱରେ ଏସଆଇ ଅରକ୍ଷିତ ମାଝୀ, ଏସଆଇ ରେଣୁକା ଖେସ, ଏଏସଆଇ ନୀତିନ ଚତୁର୍ବେଦି ସହ ଅନ୍ୟାନ୍ୟ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ। ମାଜିଷ୍ଟ୍ରେଟ ଭାବେ ଅତିରିକ୍ତ ତହସିଲଦାର ବିବେକାନନ୍ଦ ସାମଲଙ୍କ ଉପସ୍ଥିତିରେ ଗଞ୍ଜେଇ ଜବତ କରାଯାଇଛି।ପୋଲିସ ଏବେ ଏହି ଗଞ୍ଜେଇ କେଉଁଠାରୁ ଆଣାଯାଇଥିଲା ଓ କେଉଁ ନେଟୱାର୍କ ମାଧ୍ୟମରେ ଚାଲାଣ ହେଉଥିଲା, ସେନେଇ ଗଭୀର ତଦନ୍ତ ଆରମ୍ଭ କରିଛି।

