ନ୍ୟୁଜ ଡେକ୍ସ : ପଶ୍ଚିମ ଓଡ଼ିଶାରେ ଧାନ କିଣା ପ୍ରକ୍ରିୟାକୁ ସୁଚାରୁ ଓ ସ୍ୱଚ୍ଛ କରିବା ଲକ୍ଷ୍ୟରେ ୨ ଦିନିଆ ଗସ୍ତରେ ବାହାରିଛନ୍ତି ରାଜ୍ୟ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଏହି ଗସ୍ତକାଳୀନ ସେ ସମ୍ବଲପୁର ଓ ବରଗଡ଼—ପଶ୍ଚିମ ଓଡ଼ିଶାର ଦୁଇ ପ୍ରମୁଖ ଧାନ ଉତ୍ପାଦକ ଜିଲ୍ଲାରେ ହାଇଲେଭଲ୍ ସମୀକ୍ଷା କରିବେ।ଆଜି ଅପରାହ୍ନ ୨ଟାରେ ମନ୍ତ୍ରୀ ସମ୍ବଲପୁରରେ ପହଞ୍ଚିବା ସହ ସନ୍ଧ୍ୟା ୬ଟାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଧାନ କିଣା ସମ୍ବନ୍ଧୀୟ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ କରିବେ।
ଏହି ବୈଠକରେ ଚାଷୀଙ୍କ ଅଭିଯୋଗ, ମଣ୍ଡିରେ ଧାନ ଉଠାଣରେ ହେଉଥିବା ଅହେତୁକ ବିଳମ୍ବ ଓ ପ୍ରଶାସନିକ ଅସୁବିଧା ଉପରେ ଆଲୋଚନା ହେବ।ସମ୍ବଲପୁର ପରେ ମନ୍ତ୍ରୀ ବରଗଡ଼ ଗସ୍ତ କରିବେ। ଆସନ୍ତାକାଲି ସକାଳେ ବରଗଡ଼ରେ ଧାନ କିଣା ସମ୍ପର୍କିତ ବୈଠକ କରିବା ସହ ବିଭିନ୍ନ ମଣ୍ଡି ପରିଦର୍ଶନ କରି ଧାନ ଉଠାଣ ପ୍ରକ୍ରିୟାର ତଦାରଖ କରିବେ। ମଣ୍ଡିରେ ଧାନ ଉଠାଇବାରେ ହେଉଥିବା ବିଳମ୍ବ, ଚାଷୀଙ୍କୁ ଟୋକନ୍ ମିଳିବାରେ ହେଉଥିବା ସମସ୍ୟା ଓ ସେଗୁଡ଼ିକର ସମାଧାନ ଉପରେ ଗୁରୁତ୍ୱ ଦିଆଯିବ। ଏହାସହ ମିଲର୍ମାନଙ୍କ ବକେୟା ପ୍ରାପ୍ୟ, ପରିବହନ ଖର୍ଚ୍ଚ ଦାବି ପୂରଣ କରି ଧାନ ଉଠାଣକୁ କିପରି ତ୍ୱରାନ୍ୱିତ କରାଯିବ ସେନେଇ ମଧ୍ୟ ଆଲୋଚନା ହେବ।
ଧାନ ବିକ୍ରିର ୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପହଞ୍ଚିବାକୁ ନିଶ୍ଚିତ କରାଯିବା ନେଇ ମନ୍ତ୍ରୀ କଠୋର ନିର୍ଦ୍ଦେଶ ଦେଇପାରନ୍ତି।ମଣ୍ଡିରେ ଧାନର ଗୁଣବତ୍ତା ଯାଞ୍ଚ ନାମରେ ଚାଷୀଙ୍କୁ ହେଉଥିବା ଶୋଷଣ, ବେଆଇନ ଧାନ କଟା ଓ ଅନିୟମ ରୋକିବା ପାଇଁ ବିଶେଷ ଗୁରୁତ୍ୱ ଦିଆଯିବ। ସେହିପରି ମଣ୍ଡିରେ ସିସିଟିଭି କ୍ୟାମେରା, ପାନୀୟ ଜଳ ଓ ଧାନ ଶୁଖାଇବା ବ୍ୟବସ୍ଥାର ସ୍ଥିତିକୁ ମଧ୍ୟ ସମୀକ୍ଷା କରାଯିବ।ଏହି ହାଇଲେଭଲ୍ ବୈଠକଗୁଡ଼ିକରେ ସ୍ଥାନୀୟ ସାଂସଦ ଓ ବିଧାୟକମାନେ ଉପସ୍ଥିତ ରହି ଚାଷୀଙ୍କ ସମସ୍ୟା ଓ ଅଭିଯୋଗ ସରକାରଙ୍କ ନିକଟରେ ଉପସ୍ଥାପନ କରିବେ।

