ନ୍ୟୁଜ ଡେକ୍ସ : ଭିତରକନିକା ଜାତୀୟ ଉଦ୍ୟାନରେ ଚଳିତବର୍ଷ କୁମ୍ଭୀର ଗଣନା ସଫଳତାର ସହିତ ଶେଷ ହୋଇଛି। ବନବିଭାଗ ପକ୍ଷରୁ ପ୍ରକାଶିତ ଗଣନା ରିପୋର୍ଟ ଅନୁସାରେ, ଗତବର୍ଷ ଭିତରକନିକା ଭିତରେ ଓ ବାହାରେ ଥିବା ନଦୀ ଓ ନାଳଗୁଡିକରେ ୧୮୨୬ଟି ବଉଳା କୁମ୍ଭୀର ଠାବ ହୋଇଥିବାବେଳେ, ଚଳିତବର୍ଷ ଏହି ସଂଖ୍ୟା ୧୮୫୮କୁ ବୃଦ୍ଧି ପାଇଛି। ଅର୍ଥାତ୍ ଗତବର୍ଷ ତୁଳନାରେ ଏବର୍ଷ ୩୨ଟି କୁମ୍ଭୀର ଅଧିକ ଥିବା ଜଣାପଡ଼ିଛି।
ଗତବର୍ଷ ଭିତରକନିକାର ନଦୀ-ନାଳରେ ୧୬ଟି ଧଳା କୁମ୍ଭୀର ଠାବ ହୋଇଥିବାବେଳେ, ଚଳିତବର୍ଷ ଗଣନା ସମୟରେ ୨୦ଟି ଧଳା କୁମ୍ଭୀର ଚିହ୍ନଟ କରାଯାଇଛି। ଏହା ଭିତରକନିକାର ବିଶିଷ୍ଟ ଜୈବ ବିବିଧତାକୁ ପୁନଃ ସାବିତ କରୁଛି।ଚଳିତବର୍ଷର ଗଣନା କାଳରେ କନିକା ରେଞ୍ଜର ପାଟ୍ଟଶାଳା ମାଉଥରୁ ଏଫଆରଏଚ ଜେଠି ମଧ୍ୟରେ ୨ଟି, ଏଫଆରଏଚ ଜେଠିରୁ ଖୋଳା ମାଉଥ ମଧ୍ୟରେ ଗୋଟିଏ ଓ ଗୁପ୍ତିରୁ ହଂସିଣା ମଧ୍ୟରେ ଗୋଟିଏ—ମୋଟ ୪ଟି ୨୦ ଫୁଟରୁ ଅଧିକ ଲମ୍ବର ବଉଳା କୁମ୍ଭୀରକୁ ବନବିଭାଗର ଗଣନା ଟିମ୍ ଠାବ କରିଛି। ଏହି ବିରାଟ କୁମ୍ଭୀରମାନଙ୍କର ବୟସ ପ୍ରାୟ ୧୦୦ରୁ ୧୨୦ ବର୍ଷ ମଧ୍ୟରେ ହେବ ବୋଲି ଅନୁମାନ କରାଯାଇଛି।
ଏହା ସହିତ ଗୋପାଳଜୀଉପାଟଣା, କାଳିଭଂଜଡିଆ, ଶାଗୁଣାଚର ଓ ଭିତରକନିକା ନଦୀରେ ୧୮-୧୯ ଫୁଟ ଲମ୍ବର ୬ଟି ଧଳା ବଡ଼ କୁମ୍ଭୀର ଦେଖିବାକୁ ମିଳିଛି। ପ୍ରାକୃତିକ ପରିବେଶରେ ଏତେ ସଂଖ୍ୟକ ଧଳା କୁମ୍ଭୀର ଭାରତର ଅନ୍ୟ କୌଣସି ସ୍ଥାନରେ ଦେଖିବାକୁ ମିଳେ ନାହିଁ।ଚଳିତ ମାସ ୮ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଏହି କୁମ୍ଭୀର ଗଣନା କାର୍ଯ୍ୟ କରାଯାଇଥିଲା। ଗଣନା ରିପୋର୍ଟ ଅନୁସାରେ ଜାତୀୟ ଉଦ୍ୟାନ ବାହାରେ ମଧ୍ୟ ୩୦୦ରୁ ଅଧିକ କୁମ୍ଭୀର ଠାବ ହୋଇଛନ୍ତି, ଯାହା ଭିତରକନିକା ଅଞ୍ଚଳର ସଫଳ ବନ୍ୟପ୍ରାଣୀ ସଂରକ୍ଷଣକୁ ସ୍ପଷ୍ଟ କରୁଛି।

