Sun. Feb 22nd, 2026

ନ୍ୟୁଜ ଡେକ୍ସ : ଭୁବନେଶ୍ୱର: ଦେଶର ଭିତ୍ତିଭୂମି, ସାର୍ବଜନୀନ ସେବା ଓ ସମଗ୍ର ବିକାଶର ପଛରେ ଇଞ୍ଜିନିୟରମାନଙ୍କ ଅକ୍ଲାନ୍ତ ପରିଶ୍ରମ ଅଛି ବୋଲି ରାଜ୍ୟପାଳ ହରିବାବୁ କମ୍ଭମପାଟି କହିଛନ୍ତି। ଓଡ଼ିଶା ଡିପ୍ଲୋମା ଇଞ୍ଜିନିୟର୍ସ ସର୍ଭିସ ଆସୋସିଏସନର ୮୦ତମ ବାର୍ଷିକ ସମ୍ମିଳନୀରେ ଯୋଗଦେଇ ସେ କହିଥିଲେ ଯେ, ଇଞ୍ଜିନିୟରମାନେ ବିକାଶର ସ୍ତମ୍ଭ ଓ ନୀତି-କାର୍ଯ୍ୟାନୁଷ୍ଠାନ ମଧ୍ୟରେ ସେତୁ ସୃଷ୍ଟି କରନ୍ତି।

ରାଜ୍ୟପାଳ କହିଥିଲେ, ଦେଶ ନିର୍ମାଣର ପ୍ରାରମ୍ଭିକ ପର୍ଯ୍ୟାୟରୁ ଆଜି ପର୍ଯ୍ୟନ୍ତ ଡିପ୍ଲୋମା ଇଞ୍ଜିନିୟରମାନେ ଭିତ୍ତିଭୂମିର ମୂଳଦୁଆ ସ୍ଥାପନ କରି ସାଧାରଣ ଜୀବନକୁ ସୁବିଧାଜନକ କରିଛନ୍ତି। ସେମାନଙ୍କ କାର୍ଯ୍ୟ କେବଳ ବୈଷୟିକ ନୁହେଁ, ବରଂ ଲୋକଙ୍କ ଭରସା ଓ ସେବାର ପ୍ରତୀକ ବୋଲି ସେ ଉଲ୍ଲେଖ କରିଥିଲେ।ଏହି ଅବସରରେ ସଂଘର ସାମାଜିକ କାର୍ଯ୍ୟକଳାପ ରକ୍ତଦାନ ଶିବିର, ବିପର୍ଯ୍ୟୟ ସହାୟତା, ପାନୀୟ ଜଳ ବଣ୍ଟନ ଆଦିର ପ୍ରଶଂସା କରି ରାଜ୍ୟପାଳ ଆସନ୍ତା ଦଶବର୍ଷରେ ଦଶ ଲକ୍ଷ ଚାରା ରୋପଣ କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲେ।

ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ମଧ୍ୟ ସମାରୋହରେ ଯୋଗଦେଇ ସଂଘର ବହୁମୁଖୀ କାର୍ଯ୍ୟକଳାପକୁ ସ୍ୱାଗତ କରିଥିଲେ। ୨୦୩୬ ସୁଦ୍ଧା ରକ୍ତଦାନ, ଅସହାୟଙ୍କ ସାହାଯ୍ୟ ଓ ପରିବେଶ ସୁରକ୍ଷା ପାଇଁ ବ୍ୟାପକ ବୃକ୍ଷରୋପଣ ନେଇ ସଂଘ ପକ୍ଷରୁ ଯୋଜନା ଉପସ୍ଥାପନ କରାଯାଇଥିଲା।ସମାରୋହରେ ସଂଘର ପରାମର୍ଶଦାତା ଶ୍ରୀଧର ବାରିକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *