ନ୍ୟୁଜ ଡେକ୍ସ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଜାତୀୟ ଉଦ୍ୟାନ ଫେବୃଆରୀ ୪ ତାରିଖରୁ ତିନି ଦିନ ପାଇଁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ। ଏହା ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ସୁରକ୍ଷା ଓ ପ୍ରଶାସନିକ ବ୍ୟବସ୍ଥା ସୁଚାରୁ ରଖିବା ପାଇଁ ନିଆଯାଇଥିବା କଟକଣାର ଅଂଶ ବୋଲି ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକ ପ୍ରକାଶ ଚାନ୍ଦ ଗୋଗିନେନି ସୂଚନା ଦେଇଛନ୍ତି।
ତିନି ଦିନ ମଧ୍ୟରେ ଶିମିଳିପାଳ ଜାତୀୟ ଉଦ୍ୟାନର ସମସ୍ତ ପ୍ରବେଶ ଦ୍ୱାର ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ। ଏହି ସମୟରେ କୌଣସି ପର୍ଯ୍ୟଟକଙ୍କୁ ଉଦ୍ୟାନ ଭିତରକୁ ପ୍ରବେଶ ଅନୁମତି ଦିଆଯିବ ନାହିଁ।ଉଲ୍ଲେଖଯୋଗ୍ୟ ଯେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଫେବୃଆରୀ ୨ ତାରିଖରୁ ୬ ଦିନିଆ ଓଡ଼ିଶା ଗସ୍ତରେ ଆସିବେ। ସେ ଭୁବନେଶ୍ୱରରେ ପହଞ୍ଚି ଲୋକ ଭବନରେ ରାତ୍ରୀଯାପନ କରିବେ। ଫେବୃଆରୀ ୩ରେ ସେ ଯାଜପୁରର ଦେବୀ ବିରଜାଙ୍କ ମନ୍ଦିରରେ ପୂଜା କରିବା ସହ ବାଲେଶ୍ୱରର ଫକୀର ମୋହନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେବେ।
ଫେବୃଆରୀ ୪ରେ ସେ ପୁରୀର ଶ୍ରୀ ଜଗନ୍ନାଥ ମନ୍ଦିର ପରିଦର୍ଶନ କରିବା ପରେ ଫେବୃଆରୀ ୫ ଓ ୬ ତାରିଖରେ ମୟୂରଭଞ୍ଜ ଜିଲ୍ଲା ଗସ୍ତ କରି ବିଭିନ୍ନ ସରକାରୀ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେବେ।ରାଷ୍ଟ୍ରପତିଙ୍କ ଏହି ଗସ୍ତକୁ ନେଇ ସମଗ୍ର ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିବା ବେଳେ ପର୍ଯ୍ୟଟକମାନଙ୍କୁ ଶିମିଳିପାଳ ଭ୍ରମଣ ପାଇଁ ଏହି ସମୟ ସମୟସୂଚୀକୁ ଧ୍ୟାନରେ ରଖିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।

