ନ୍ୟୁଜ ଡେକ୍ସ : ଭାରତୀୟ କ୍ରିକେଟର କିମ୍ବଦନ୍ତୀ ବ୍ୟାଟସମ୍ୟାନ ବିରାଟ କୋହଲିଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟ ହଠାତ୍ ନିଷ୍କ୍ରିୟ ହୋଇଯାଇଥିବା ଖବର ସାରା କ୍ରିକେଟ ଓ ସୋସିଆଲ୍ ମିଡିଆ ଜଗତରେ ହଲଚଲ ସୃଷ୍ଟି କରିଛି। ଗୁରୁବାର ଶୁକ୍ରବାର ରାତିରେ ଏହି ଘଟଣା ଦେଖାଯାଇଥିବା ବେଳେ, ଭାରତ ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ ସମାପ୍ତି ପରେ ଏହା ଘଟିଥିବାରୁ ଆହୁରି ଚର୍ଚ୍ଚା ବଢ଼ିଯାଇଛି।
ଇନଷ୍ଟାଗ୍ରାମରେ ୨୭୪ ମିଲିୟନ୍ (୨ କୋଟି ୭୪ ଲକ୍ଷରୁ ଅଧିକ) ଫଲୋଅର୍ସ ସହ ବିରାଟ କୋହଲି କ୍ରିକେଟ ଜଗତର ସବୁଠାରୁ ଅଧିକ ଫଲୋଅର୍ସ ଥିବା ଖେଳାଳିମାନଙ୍କ ମଧ୍ୟରେ ଅଗ୍ରଣୀ। କିନ୍ତୁ ବର୍ତ୍ତମାନ ତାଙ୍କ ଆକାଉଣ୍ଟ ନ ସର୍ଚ୍ଚରେ ଦେଖାଯାଉଛି, ନା ତାଙ୍କର କୌଣସି ପୋଷ୍ଟ କିମ୍ବା ଫଲୋଅର୍ସ ତାଲିକା ଉପଲବ୍ଧ ଅଛି। ଏହା ଦେଖି ଲକ୍ଷ ଲକ୍ଷ ପ୍ରଶଂସକ ଚିନ୍ତିତ ହୋଇପଡ଼ିଛନ୍ତି।ଏପର୍ଯ୍ୟନ୍ତ ବିରାଟ କୋହଲିଙ୍କ ପରିଚାଳନା ଦଳ କିମ୍ବା ଇନଷ୍ଟାଗ୍ରାମ ପକ୍ଷରୁ କୌଣସି ସରକାରୀ ସ୍ପଷ୍ଟୀକରଣ ମିଳିନାହିଁ। କୋହଲି ସ୍ୱେଚ୍ଛାକୃତ ଭାବେ ତାଙ୍କ ଆକାଉଣ୍ଟକୁ ନିଷ୍କ୍ରିୟ କରିଛନ୍ତି କି, ନା କି ଏହା ସୋସିଆଲ୍ ମିଡିଆ ପ୍ଲାଟଫର୍ମର କୌଣସି ଯାନ୍ତ୍ରିକ ତ୍ରୁଟି ତାହା ସ୍ପଷ୍ଟ ହୋଇନାହିଁ। ଉଲ୍ଲେଖଯୋଗ୍ୟ ଯେ, ୩୭ ବର୍ଷୀୟ ବିରାଟ କୋହଲି ବର୍ତ୍ତମାନ ପରିବାର ସହିତ ଲଣ୍ଡନରେ ରହୁଛନ୍ତି।
ସେ ଟେଷ୍ଟ ଏବଂ ଟି–୨୦ କ୍ରିକେଟରୁ ଅବସର ନେଇଥିବା ବେଳେ, କେବଳ ଦିନିକିଆ ଫର୍ମାଟରେ ଭାରତ ପାଇଁ ଖେଳୁଛନ୍ତି। ସମ୍ପ୍ରତି ସେ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ ପାଇଁ ଭାରତ ଆସିଥିଲେ ଓ ସିରିଜ ସମାପ୍ତି ପରେ ପୁଣି ଲଣ୍ଡନ ଫେରିଯାଇଛନ୍ତି।ଏବେ ପ୍ରଶଂସକମାନେ ତାଙ୍କ ଆକାଉଣ୍ଟ ପୁନଃ ସକ୍ରିୟ ହେବାକୁ ଅପେକ୍ଷା କରୁଥିବା ବେଳେ, ଏହି ଅଚାନକ ଘଟଣାକୁ ନେଇ ସୋସିଆଲ୍ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଛି।

