Sat. Feb 21st, 2026

ନ୍ୟୁଜ ଡେକ୍ସ : ପ୍ରତିବର୍ଷ ଫେବୃଆରୀ ୪ ତାରିଖକୁ ସାରା ବିଶ୍ୱରେ ‘ବିଶ୍ୱ କର୍କଟ ଦିବସ’ (World Cancer Day) ଭାବେ ପାଳନ କରାଯାଏ। କର୍କଟ ଭଳି ମାରାତ୍ମକ ରୋଗ ସମ୍ପର୍କରେ ସଚେତନତା ବୃଦ୍ଧି, ଶୀଘ୍ର ଚିହ୍ନଟ ଏବଂ ସମୟୋଚିତ ଚିକିତ୍ସା ପାଇଁ ଲୋକମାନଙ୍କୁ ପ୍ରେରିତ କରିବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ।ଚଳିତ ବର୍ଷ ବିଶ୍ୱ କର୍କଟ ଦିବସର ଥିମ୍ ରହିଛି ‘United by Unique’।

ଏହି ଥିମ୍‌ର ଅର୍ଥ ହେଉଛି ପ୍ରତ୍ୟେକ କର୍କଟ ରୋଗୀଙ୍କ ଲଢେଇ ଅଲଗା, ପ୍ରତ୍ୟେକଙ୍କ କାହାଣୀ ନିଆରା; କିନ୍ତୁ ଉତ୍ତମ ଚିକିତ୍ସା, ସମାନ ସୁଯୋଗ ଓ ସମର୍ଥନ ପାଇଁ ଆମେ ସମସ୍ତେ ଏକଜୁଟ ହୋଇ ଆଗେଇବା ଦରକାର।ଭାରତରେ କର୍କଟ ରୋଗର ସ୍ଥିତି ଦିନକୁ ଦିନ ଚିନ୍ତାଜନକ ହୋଇପଡ଼ୁଛି। ପ୍ରତିବର୍ଷ ପ୍ରାୟ ୧୫ ଲକ୍ଷରୁ ଅଧିକ ନୂଆ କର୍କଟ ରୋଗୀ ଚିହ୍ନଟ ହେଉଥିବାବେଳେ, ୨୦୩୦ ସୁଦ୍ଧା ଏହି ସଂଖ୍ୟା ୨୦ ଲକ୍ଷ ଟପିଯିବ ବୋଲି ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି। ଚିକିତ୍ସକଙ୍କ ମତାନୁସାରେ, କର୍କଟର ସବୁଠୁ ବଡ଼ କାରଣ ହେଉଛି ତମାଖୁ ସେବନ। ଏହାଦ୍ୱାରା ପ୍ରାୟ ୩୩ ଶତାଂଶ କର୍କଟ ମାମଲା ଦେଖାଯାଏ। ଏହା ସହିତ ମେଦବହୁଳତା, ଅସୁସ୍ଥ ଖାଦ୍ୟାଭାସ, ଶାରୀରିକ କ୍ରିୟାହୀନତା ଏବଂ ପରିବେଶ ପ୍ରଦୂଷଣ ମଧ୍ୟ କର୍କଟର ମୁଖ୍ୟ କାରଣ ଭାବେ ଗଣାଯାଏ।

ମହିଳାମାନଙ୍କ ମଧ୍ୟରେ ସ୍ତନ କର୍କଟ ଓ ଗର୍ଭାଶୟ (ସର୍ଭାଇକାଲ) କର୍କଟ ସବୁଠାରୁ ଅଧିକ ଦେଖାଯାଉଥିବାବେଳେ, ପୁରୁଷମାନଙ୍କ କ୍ଷେତ୍ରରେ ମୁଖ କର୍କଟ ଓ ଫୁସଫୁସ କର୍କଟ ଅଧିକ ପ୍ରଚଳିତ।ବିଶେଷଜ୍ଞମାନେ କହୁଛନ୍ତି ଯେ, କର୍କଟରୁ ରକ୍ଷା ପାଇବା ପାଇଁ କିଛି ସରଳ ଉପାୟ ଅବଲମ୍ବନ କରିବା ଅତ୍ୟନ୍ତ ଆବଶ୍ୟକ। ତମାଖୁ ଓ ନିଶାଦ୍ରବ୍ୟରୁ ସମ୍ପୂର୍ଣ୍ଣ ଦୂରେଇ ରହିବା, ସୁଷମ ଓ ପୋଷ୍ଟିକ ଖାଦ୍ୟ ଗ୍ରହଣ, ନିୟମିତ ବ୍ୟାୟାମ, ଓ ସମୟ ସମୟରେ ସ୍କ୍ରିନିଂ ଓ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ଦ୍ୱାରା କର୍କଟକୁ ଆଗୁଆ ଚିହ୍ନଟ କରି ସଫଳ ଚିକିତ୍ସା ସମ୍ଭବ। ବିଶ୍ୱ କର୍କଟ ଦିବସ ଏହି ସନ୍ଦେଶ ଦେଉଛି ଯେ ସଚେତନତା, ସମୟୋଚିତ ଚିକିତ୍ସା ଓ ସାମୂହିକ ପ୍ରୟାସ ଦ୍ୱାରା କର୍କଟ ସହ ଲଢେଇରେ ନିଶ୍ଚୟ ଜିତି ପାରିବା।

Leave a Reply

Your email address will not be published. Required fields are marked *