Sun. Apr 19th, 2026

ନ୍ୟୁଜ ଡେକ୍ସ : ଆସନ୍ତା ଫେବ୍ରୁଆରୀ ୨୭ ତାରିଖରେ ପୀରହାଟ ଅଞ୍ଚଳରେ ଭଦ୍ରକ-ଧାମରା ରେଳପଥ ଉପରେ ୨୪ ଘଣ୍ଟିଆ ରେଳରୋକ କରାଯିବ ବୋଲି ଘୋଷଣା କରାଯାଇଛି। ଧାମରା ପୋର୍ଟ ମାଧ୍ୟମରେ କୋଇଲା ପରିବହନ କାର୍ଯ୍ୟରେ ଭଦ୍ରକ ଜିଲ୍ଲାର ମୂଳ ଅଧିବାସୀ ଟ୍ରକ ଓ ଟିପର ମାଲିକମାନଙ୍କୁ ବଞ୍ଚିତ କରାଯାଉଥିବା ଅଭିଯୋଗରେ ଏହି ଆନ୍ଦୋଳନର ଡାକ ଦିଆଯାଇଛି।

ଶୁକ୍ରବାର ଜିଲ୍ଲା ଟିପର ଓ ଡମ୍ଫର ସଂଘ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି। ସଂଘର ସଭାପତି ଶୁଭେନ୍ଦୁ ରାୟ ମହାପାତ୍ର କହିଛନ୍ତି ଯେ, ଜିଲ୍ଲାର ଅନେକ ଗାଡ଼ି ମାଲିକ ଧାମରା ବନ୍ଦର କମ୍ପାନିରେ କୋଇଲା ପରିବହନ କାମରେ ଭଡ଼ା ପାଇବାର ସୁଯୋଗ ପାଉନାହାନ୍ତି। ଅନେକେ ଋଣ କରି ଟ୍ରକ ଓ ଟିପର କ୍ରୟ କରିଥିବା ସତ୍ତ୍ୱେ ସେମାନେ ଭଡ଼ାରେ ଗାଡ଼ି ଲଗାଇ ପାରୁନାହାନ୍ତି, ଯାହାର ଫଳରେ ଆର୍ଥିକ ସଙ୍କଟ ସୃଷ୍ଟି ହେଉଛି।ସଂଘ ପକ୍ଷରୁ ପୂର୍ବରୁ ଏ ସମସ୍ୟା ସମ୍ପର୍କରେ ଭଦ୍ରକ ଜିଲ୍ଲାପାଳଙ୍କୁ ଦାବିପତ୍ର ଦିଆଯାଇଥିଲା।

ଜିଲ୍ଲାପାଳ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିବା ସତ୍ତ୍ୱେ ଦୁଇ ମାସ ଅତିତ ହୋଇଥିଲେ ମଧ୍ୟ କୌଣସି ପ୍ରତ୍ୟକ୍ଷ ପଦକ୍ଷେପ ନେଇଯାଇନଥିବାରୁ ସଂଘ ବାଧ୍ୟ ହୋଇ ଆନ୍ଦୋଳନର ମାର୍ଗ ଅନୁସରଣ କରୁଛି ବୋଲି କହିଛନ୍ତି। ଆସନ୍ତା ୨୭ ତାରିଖରେ ହେବାକୁ ଯାଉଥିବା ଏହି ୨୪ ଘଣ୍ଟିଆ ରେଳରୋକ ଆନ୍ଦୋଳନରେ ବହୁ ସଂଖ୍ୟକ ଟ୍ରକ ଓ ଟିପର ମାଲିକ ଯୋଗଦେବେ ବୋଲି ସଂଘ ପକ୍ଷରୁ ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *