Sat. Feb 21st, 2026

ନ୍ୟୁଜ ଡେକ୍ସ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ବିଧାନସଭାରେ ଉପସ୍ଥାପନ କରିଛନ୍ତି। ରାଜ୍ୟ ସରକାର ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ବଜେଟ୍ ଆଗତ କରିଥିବାବେଳେ, ଗତବର୍ଷ ତୁଳନାରେ ବଜେଟ୍ ଆକାରରେ ୬.୯ ପ୍ରତିଶତ ବୃଦ୍ଧି କରାଯାଇଛି।ବଜେଟ୍-୨୦୨୬-୨୭ରେ ନାରୀ ସଶକ୍ତିକରଣକୁ ବିଶେଷ ଗୁରୁତ୍ୱ ଦିଆଯାଇଛି।

ସୁଭଦ୍ରା ଯୋଜନା ପାଇଁ ୧୦ ହଜାର ୧୪୫ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିବାବେଳେ, ପ୍ରାୟ ୧ କୋଟିରୁ ଅଧିକ ମହିଳା ଏଥିରୁ ଉପକୃତ ହେବେ ବୋଲି କହାଯାଇଛି। ସେହିପରି ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ପାଇଁ ୧୨ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।ଏହାସହ ବଜେଟ୍ ଉପସ୍ଥାପନ ବେଳେ ‘ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ’ ଯୋଜନାର ଘୋଷଣା କରାଯାଇଛି। ଆର୍ଥିକ ଦୁର୍ବଳ ବର୍ଗର ଝିଅମାନଙ୍କୁ ସ୍ନାତକ ପର୍ଯ୍ୟନ୍ତ ପଢ଼ାଇବା ପାଇଁ ଏହି ଯୋଜନା କାର୍ଯ୍ୟକରୀ ହେବ। ଗରିବ ଝିଅଙ୍କ ନାମରେ ୨୦ ହଜାର ଟଙ୍କାର ସଞ୍ଚୟ ଉପକରଣ ସୃଷ୍ଟି କରାଯିବ ଏବଂ ସ୍ନାତକ ସମାପ୍ତ ପରେ ସେମାନଙ୍କୁ ୧ ଲକ୍ଷ ୧ ଟଙ୍କା ପ୍ରଦାନ କରାଯିବ। ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ସରକାର ମୁଖ୍ୟ ଫୋକସ୍ ରଖିଛନ୍ତି।

ମାଗଣା ଓ ସୁନିଶ୍ଚିତ ସ୍ୱାସ୍ଥ୍ୟ ସେବା, ମାନବ ସମ୍ବଳର ସୁଦୃଢୀକରଣ, ଅତ୍ୟାଧୁନିକ ଜନସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ, ସେବା ଯୋଗାଣର ସମ୍ପ୍ରସାରଣ, ଚିକିତ୍ସା ବୈଷୟିକ ଜ୍ଞାନକୌଶଳର ବ୍ୟବହାର, ଘରୋଇ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀଙ୍କ ବିନିଯୋଗ ଓ ଆୟୁଷ ବ୍ୟବସ୍ଥାକୁ ମୁଖ୍ୟ ସ୍ରୋତରେ ସାମିଲ କରିବା ଉପରେ ଗୁରୁତ୍ୱ ଦିଆଯାଇଛି।ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପାଇଁ ୨୩,୧୮୨ କୋଟି ଟଙ୍କାର ବ୍ୟୟ ବରାଦ ପ୍ରସ୍ତାବ ରଖାଯାଇଛି। ଏଥିରେ କାର୍ଯ୍ୟକ୍ରମ ବ୍ୟୟ ପାଇଁ ୧୭ ହଜାର ୭୩୭ କୋଟି ଟଙ୍କା ସାମିଲ ଅଛି। ସ୍ୱାସ୍ଥ୍ୟ କ୍ଷେତ୍ରରେ ପ୍ରସ୍ତାବିତ ଏହି ବ୍ୟୟ ମୋଟ ବଜେଟ୍ ଆକାରର ୭.୫ ପ୍ରତିଶତରୁ ଅଧିକ ଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହା ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ଓ କାର୍ଯ୍ୟଧାରାକୁ ପ୍ରତିଫଳିତ କରୁଛି ବୋଲି ସେ ଉଲ୍ଲେଖ କରିଛନ୍ତି।

Leave a Reply

Your email address will not be published. Required fields are marked *