Sun. Feb 22nd, 2026

ନ୍ୟୁଜ ଡେକ୍ସ : ପାରାଦୀପର ବଡ଼ବଡ଼ିଆ ପରିବା ମାର୍କେଟରେ ଶନିବାର ମଧ୍ୟରାତ୍ରୀରେ ଭୟାବହ ଅଗ୍ନିକାଣ୍ଡ ଘଟି ୫୦ରୁ ଅଧିକ ପରିବା ଦୋକାନ ଜଳି ପାଉଁଶ ହୋଇଯାଇଛି। ପ୍ରାୟ କୋଟିଏରୁ ଅଧିକ ଟଙ୍କାର ସମ୍ପତ୍ତି କ୍ଷତିଗ୍ରସ୍ତ ହୋଇଥିବା ପ୍ରାଥମିକ ଆନୁମାନ କରାଯାଇଛି। ତେବେ ନିଆଁ ଲାଗିବାର ସଠିକ୍ କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି।ସୂଚନା ଅନୁଯାୟୀ, ଶନିବାର ରାତି ପ୍ରାୟ ୨ଟା ସମୟରେ ସମସ୍ତ ପରିବା ବ୍ୟବସାୟୀ ଶୋଇଥିବା ବେଳେ ହଠାତ୍ ନିଆଁ ଲାଗିଥିଲା।

ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ ଅଳ୍ପ ସମୟରେ ସମଗ୍ର ମାର୍କେଟ ନିଆଁରେ ଘେରାଯାଇଥିଲା। ଲକ୍ଷ ଲକ୍ଷ ଟଙ୍କାର ପରିବା, ଟଙ୍କା ବାକ୍ସ, ଓଜନ କଣ୍ଟା, ସାଇକେଲ, ବାଇକ ଓ ବିଭିନ୍ନ ଆସବାବପତ୍ର ସମ୍ପୂର୍ଣ୍ଣ ଭାବେ ଜଳିଯାଇଛି।ଖବର ପାଇ କୁଜଙ୍ଗ ଅଗ୍ନିଶମ ବିଭାଗ ସହ ପାରାଦୀପ ବନ୍ଦରର ଦୁଇଟି ଅଗ୍ନିଶମ ଗାଡ଼ି, ପିପିଏଲ, ଇଫକୋ ଓ ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ କାରଖାନାର ମୋଟ ୬ଟି ନିଆଁଲିଭା ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲେ। ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଅକ୍ଲାନ୍ତ ପରିଶ୍ରମ ପରେ ଅଗ୍ନିକୁ ଆୟତ୍ତ କରାଯାଇଥିଲା। ବ୍ୟବସାୟୀମାନଙ୍କ କହିବା ଅନୁଯାୟୀ, ମାର୍କେଟରେ ଥିବା ଅସ୍ଥାୟୀ ପିଣ୍ଡିଗୁଡ଼ିକ ବାଉଁଶ ଓ ପଲିଥିନ ପାଲରେ ତିଆରି ହୋଇଥିବାରୁ ନିଆଁ ବେଗରେ ପ୍ରସାରିତ ହୋଇଥିଲା ଏବଂ ଏହାକୁ ନିୟନ୍ତ୍ରଣ କରିବା କଷ୍ଟକର ହୋଇପଡ଼ିଥିଲା।

କୁଜଙ୍ଗ ଅଗ୍ନିଶମ ବିଭାଗର ଅଧିକାରୀ କାର୍ତ୍ତିକେଶ୍ୱର ବିଶ୍ୱାଳ ବ୍ୟାପକ କ୍ଷୟକ୍ଷତି ଘଟିଥିବା କଥା ସ୍ପଷ୍ଟ କରିଛନ୍ତି।ଘଟଣାସ୍ଥଳରେ ପାରାଦୀପ ପୌର ଅଧ୍ୟକ୍ଷ ବସନ୍ତ ବିଶ୍ୱାଳ, ପାରାଦୀପ ପୋର୍ଟ ବଣିକ ସଂଘ ସାଧାରଣ ସମ୍ପାଦକ ଗୋଲେଖ ଚନ୍ଦ୍ର ସାହୁ, ସଭାପତି ଅମିୟ ପାଣି ଓ ସ୍ଥାନୀୟ କାଉନସିଲର ସୌଦାମିନୀ ସାହୁ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରିଥିଲେ।ମାର୍କେଟରେ ବାରମ୍ବାର ଅଗ୍ନିକାଣ୍ଡ ଘଟୁଥିଲେ ମଧ୍ୟ ସ୍ଥାୟୀ ଭେଣ୍ଡିଂ ଜୋନ ନିର୍ମାଣ ହେଉନଥିବାରୁ ବ୍ୟବସାୟୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସ୍ଥାୟୀ ବ୍ୟବସ୍ଥା କରାଯାଇଲେ ଏପରି ଦୁର୍ଘଟନାରୁ ରକ୍ଷା ପାଇବା ସମ୍ଭବ ବୋଲି ସେମାନେ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *