ନ୍ୟୁଜ ଡେକ୍ସ : ଓଡ଼ିଶାରେ ଆଗାମୀ ରାଜ୍ୟସଭା ନିର୍ବାଚନକୁ ନେଇ ରାଜନୈତିକ ଚର୍ଚ୍ଚା ତିବ୍ର ହୋଇଛି। ଶୁକ୍ରବାର ଯାଞ୍ଚ ପ୍ରକ୍ରିୟା ପରେ ରାଜ୍ୟସଭା ନିର୍ବାଚନ ପାଇଁ ମଇଦାନରେ ଥିବା ସମସ୍ତ ପାଞ୍ଚ ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଗ୍ରହଣ କରାଯାଇଛି। ଯାଞ୍ଚ ସମୟରେ ସମସ୍ତ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର ଠିକ୍ ଥିବା ଜଣାପଡ଼ିଛି।ଏହି ନିର୍ବାଚନ ପାଇଁ ପ୍ରାର୍ଥୀମାନେ ହେଲେ ସଂତୃପ୍ତ ମିଶ୍ର, ଡକ୍ଟର ଦତ୍ତେଶ୍ୱର ହୋତା, ମନମୋହନ ସାମଲ, ସୁଜିତ କୁମାର ଏବଂ ଦିଲୀପ ରାୟ।
ବିଜୁ ଜନତା ଦଳ ତୃତୀୟ ସୁରକ୍ଷିତ ଆସନ ପାଇଁ ସଂତୃପ୍ତ ମିଶ୍ରଙ୍କୁ ପ୍ରାର୍ଥୀ କରିଥିବା ବେଳେ ଚତୁର୍ଥ ଆସନ ପାଇଁ ଡକ୍ଟର ଦତ୍ତେଶ୍ୱର ହୋତାଙ୍କୁ ମନୋନୀତ କରିଛି। ହୋତାଙ୍କୁ କଂଗ୍ରେସ ମଧ୍ୟ ସମର୍ଥନ ଜଣାଇଛି।ସେହିପରି ଭାରତୀୟ ଜନତା ପାର୍ଟି ଏହାର ରାଜ୍ୟ ସଭାପତି ମନମୋହନ ସାମଲ ଓ ବିଦାୟୀ ସାଂସଦ ସୁଜିତ କୁମାରଙ୍କୁ ପ୍ରାର୍ଥୀ କରିଛି। ଏହା ସହ ବରିଷ୍ଠ ନେତା ଦିଲୀପ ରାୟ ସ୍ୱାଧୀନ ପ୍ରାର୍ଥୀ ଭାବେ ମଇଦାନରେ ଥିବା ବେଳେ ତାଙ୍କୁ ବିଜେପି ସମର୍ଥନ ଦେଇଛି।
ଓଡ଼ିଶାର ୪ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବାକୁ ଥିବା ବେଳେ ମଇଦାନରେ ୫ ଜଣ ପ୍ରାର୍ଥୀ ରହିଛନ୍ତି। ତେଣୁ ଚତୁର୍ଥ ଆସନକୁ ନେଇ ରୋଚକ ଲଢେଇ ଦେଖାଯିବ ବୋଲି ରାଜନୈତିକ ମହଳରେ ଚର୍ଚ୍ଚା ଚାଲିଛି। ବିଜେଡି ଓ କଂଗ୍ରେସର ସମର୍ଥିତ ପ୍ରାର୍ଥୀ ଡକ୍ଟର ଦତ୍ତେଶ୍ୱର ହୋତା ଓ ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଦିଲୀପ ରାୟଙ୍କ ମଧ୍ୟରେ ଚତୁର୍ଥ ଆସନ ପାଇଁ ମୁଖ୍ୟ ଟକ୍କର ହେବ ବୋଲି କୁହାଯାଉଛି।

