ନ୍ୟୁଜ ଡେକ୍ସ : ସୋସିଆଲ ମିଡିଆ ବ୍ୟବହାରକୁ ନେଇ ବଡ଼ ପଦକ୍ଷେପ ନେଇଛନ୍ତି କର୍ଣ୍ଣାଟକ ସରକାର। ରାଜ୍ୟରେ ୧୬ ବର୍ଷରୁ କମ୍ ଶିଶୁମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାରକୁ ବ୍ୟାନ କରାଯାଇଛି। ଏନେଇ ଘୋଷଣା କରିଛନ୍ତି କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା। ଦେଶରେ ପ୍ରଥମ ରାଜ୍ୟ ଭାବରେ କର୍ଣ୍ଣାଟକ ସରକାର ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି।
ଚଳିତ ବର୍ଷ ରାଜ୍ୟର ବଜେଟ୍ ଉପସ୍ଥାପନ ସମୟରେ ମୁଖ୍ୟମନ୍ତ୍ରୀ ଏହି ନିୟମ ଲାଗୁ କରିବା ନେଇ ଘୋଷଣା କରିଥିଲେ। ସୋସିଆଲ ମିଡିଆର ନକରାତ୍ମକ ପ୍ରଭାବରୁ ଶିଶୁମାନଙ୍କୁ ସୁରକ୍ଷିତ ରଖିବା ପାଇଁ ସରକାର ଏହି ପଦକ୍ଷେପ ନେଇଥିବା ସୂଚନା ମିଳିଛି।
ଏହା ସହ କର୍ଣ୍ଣାଟକ ସୂଚନା ପ୍ରଯୁକ୍ତି ଓ ବାୟୋଟେକ୍ନୋଲୋଜି (IT&BT) ମନ୍ତ୍ରୀ ପ୍ରିୟଙ୍କ ଖଡଗେ ଜାନୁଆରୀ ୩୦ ତାରିଖରେ ବିଧାନସଭାରେ କହିଥିଲେ ଯେ, ସୋସିଆଲ ମିଡିଆ ପ୍ରତି ଯୁବପିଢ଼ିଙ୍କ ବୃଦ୍ଧିଶୀଳ ଆକର୍ଷଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କୃତ୍ରିମ ବୁଦ୍ଧିମତ୍ତା ଏବଂ ସୋସିଆଲ ମିଡିଆର ଦାୟିତ୍ୱପୂର୍ଣ୍ଣ ବ୍ୟବହାର ସୁନିଶ୍ଚିତ କରିବା ପାଇଁ ନୂତନ ପଦକ୍ଷେପ ଆଣିବାକୁ ଗମ୍ଭୀରତାର ସହ ଚିନ୍ତା କରୁଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତି ଶିଶୁମାନଙ୍କ ମନୋସାମାଜିକ ସୁରକ୍ଷା ଓ ସୁସ୍ଥ ବିକାଶ ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ମନେ କରାଯାଉଛି।

