ନ୍ୟୁଜ ଡେକ୍ସ : ଆଜିଠାରୁ ରାଜ୍ୟ ବିଧାନସଭାର ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି। ଅଧିବେଶନର ପ୍ରଥମ ଦିନରେ ଗୃହର କାର୍ଯ୍ୟସୂଚୀ ସ୍ୱାଭାବିକ ଭାବରେ ଆରମ୍ଭ ହୋଇଥିବାବେଳେ ପ୍ରଶ୍ନକାଳ ଜାରି ରହିଛି। ବିଭିନ୍ନ ବିଭାଗ ସମ୍ପର୍କିତ ପ୍ରଶ୍ନ ଉଠାଇ ବିଧାୟକମାନେ ସରକାରଙ୍କ ଧ୍ୟାନ ଆକର୍ଷଣ କରୁଛନ୍ତି।
ସେହିପରି ବିଭାଗୀୟ ମନ୍ତ୍ରୀମାନେ ଗୃହରେ ବିଧାୟକମାନଙ୍କ ପ୍ରଶ୍ନର ଉତ୍ତର ରଖୁଛନ୍ତି ଓ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ସ୍ପଷ୍ଟିକରଣ ଦେଉଛନ୍ତି।ସୂଚନା ଅନୁସାରେ ବିଧାନସଭା ବଜେଟ ଅଧିବେଶନର ଏହି ଦ୍ବିତୀୟ ପର୍ଯ୍ୟାୟ ଆସନ୍ତା ଏପ୍ରିଲ୍ ୮ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ପର୍ଯ୍ୟାୟରେ ଗୃହରେ ବିଭାଗୱାରୀ ଖର୍ଚ୍ଚଦାବି ଉପରେ ବିସ୍ତୃତ ଆଲୋଚନା ହେବ। ବିଭିନ୍ନ ବିଭାଗର ଆବଶ୍ୟକତା, ଯୋଜନାର କାର୍ଯ୍ୟନ୍ୱୟନ ଓ ବିକାଶମୂଳକ ପଦକ୍ଷେପ ସମ୍ପର୍କରେ ସରକାର ଓ ବିରୋଧୀ ଦଳର ବିଧାୟକମାନେ ଆଲୋଚନା କରିବେ। ଏହାପୂର୍ବରୁ ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟରେ ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ ରାଜ୍ୟର ବାର୍ଷିକ ବଜେଟ ଉପସ୍ଥାପନ କରାଯାଇଥିଲା।
ଅର୍ଥ ବିଭାଗର ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୃହରେ ପ୍ରାୟ ୩.୧୦ ଲକ୍ଷ କୋଟି ଟଙ୍କାର ବଜେଟ ପ୍ରସ୍ତୁତ କରିଥିଲେ। ଏହି ବଜେଟରେ କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ପରିକାଠାମୋ ଓ ସମାଜ କଳ୍ୟାଣ ଭଳି ମୁଖ୍ୟ କ୍ଷେତ୍ରଗୁଡ଼ିକୁ ବିଶେଷ ଗୁରୁତ୍ୱ ଦିଆଯାଇଥିବା କୁହାଯାଇଥିଲା।ଦ୍ବିତୀୟ ପର୍ଯ୍ୟାୟରେ ଗୃହରେ ବିଭାଗୱାରୀ ଖର୍ଚ୍ଚଦାବି ଉପରେ ଆଲୋଚନା ହେବା ପରେ ମାର୍ଚ୍ଚ ୩୧ ତାରିଖରେ ରାଜ୍ୟ ସରକାର ବ୍ୟୟମଞ୍ଜୁରୀ ବିଲ୍ ପାରିତ କରାଇବାକୁ ଯୋଜନା କରିଛନ୍ତି।
ଏହା ମାଧ୍ୟମରେ ବିଭିନ୍ନ ବିଭାଗ ପାଇଁ ଆବଶ୍ୟକ ଅର୍ଥବ୍ୟୟକୁ ବୈଧ ମଞ୍ଜୁରୀ ମିଳିବ।ବଜେଟ ଅଧିବେଶନର ଏହି ପର୍ଯ୍ୟାୟରେ ବିରୋଧୀ ଦଳ ସରକାରଙ୍କ ବିଭିନ୍ନ କାର୍ଯ୍ୟନୀତି ଓ ଯୋଜନାକୁ ନେଇ ପ୍ରଶ୍ନ ଉଠାଇବା ସହ ଗୁରୁତ୍ୱପୂର୍ଣ୍ଣ ଜନସମସ୍ୟା ଉପରେ ମଧ୍ୟ ଚର୍ଚ୍ଚା ହେବାର ସମ୍ଭାବନା ରହିଛି। ତେଣୁ ଆଗାମୀ ଦିନଗୁଡ଼ିକରେ ବିଧାନସଭା ଅଧିବେଶନ ରାଜନୈତିକ ଭାବେ ରୋଚକ ଓ ଚର୍ଚ୍ଚାସ୍ପଦ ହେବ ବୋଲି ଅନୁମାନ କରାଯାଉଛି।

