Mon. Apr 20th, 2026

ନ୍ୟୁଜ ଡେକ୍ସ : ପୁରୀ ବଡଦେଉଳରେ ମହାପ୍ରଭୁଙ୍କ ନୀତିରେ ପୁନଃପୁନି ବିଳମ୍ବ ଓ ବିଶୃଙ୍ଖଳା ଦେଖାଦେବା ପରେ ଏହାକୁ ରୋକିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ତତ୍ପର ହୋଇଛି। ଏନେଇ ଆସନ୍ତା ୧୧ ତାରିଖ ବୁଧବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଯାଇଛି।

ନୂତନ ନୀତି ପ୍ରଶାସକଙ୍କ ଅଧ୍ୟକ୍ଷତାରେ ହେବାକୁଥିବା ଏହି ବୈଠକରେ ବଡଦେଉଳ ପରିଚାଳନାରେ ପ୍ରତ୍ୟକ୍ଷ ଭାବେ ଜଡିତ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ବରିଷ୍ଠ ସେବକ ଓ ନୀତି ଅଧିକାରୀମାନେ ଯୋଗଦେବେ।ବୈଠକରେ ମହାପ୍ରଭୁଙ୍କ ନୀତି ଶୃଙ୍ଖଳାକୁ ସୁନିଶ୍ଚିତ କରିବା ସହ ଠାକୁରଙ୍କ ସେବାପୂଜାରେ ଯେପରି କୌଣସି ଅବହେଳା ନ ହୁଏ ସେନେଇ ଆଲୋଚନା ହେବ। ନୀତି ପାଳନରେ ହେଉଥିବା ବିଭ୍ରାଟକୁ କିପରି ରୋକାଯିବ ଓ ସମୟନୁସାରେ ସମସ୍ତ ନୀତି ସମ୍ପନ୍ନ ହେବ, ସେଥିପାଇଁ ପଥ ଖୋଜାଯିବ।ସୂଚନା ଅନୁସାରେ ସୋମବାର ସକାଳେ ମହାପ୍ରଭୁଙ୍କ ସାଦା ବେଶ ନୀତି ସମୟରେ ମଧ୍ୟ ବିଳମ୍ବ ଘଟିଥିଲା।

ପାଳିଆ ସିଂହାରୀ ସେବକ ଠାକୁରଙ୍କ ନିକଟରେ ଅପେକ୍ଷା କରିଥିଲେ ମଧ୍ୟ ସେବା ପାଇଁ ଆବଶ୍ୟକ ଅନ୍ୟ ସେବକ ଓ କର୍ମଚାରୀମାନଙ୍କ ଉପସ୍ଥିତି ନଥିବାରୁ ନୀତି ବିଳମ୍ବ ହୋଇଥିବା କୁହାଯାଉଛି। ଏହାପୂର୍ବରୁ ଗୋବିନ୍ଦ ଦ୍ୱାଦଶୀ ବୁଡ ଦିନ ମଧ୍ୟ ଖୁଣ୍ଟିଆ ସେବକଙ୍କ ଅସହଯୋଗ ଯୋଗୁ ଠାକୁରଙ୍କ ନୀତି ପ୍ରାୟ ୪ ଘଣ୍ଟାରୁ ଅଧିକ ସମୟ ବିଳମ୍ବ ହୋଇଥିଲା। ଏନେଇ ଶ୍ରୀମନ୍ଦିର ପ୍ରଶାସନ କିଛି ପଦକ୍ଷେପ ନେଇଥିଲେ ମଧ୍ୟ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଏହି ବୈଠକ ଡକାଯାଇଛି।ବୈଠକରେ ପ୍ରାୟ ୩୦ ଜଣଙ୍କୁ ଯୋଗଦେବାକୁ ଡାକରା ଦିଆଯାଇଛି।

ତେବେ କିଛି ଗୁରୁତ୍ୱପୂର୍ଣ୍ଣ ସେବକ ସମ୍ପ୍ରଦାୟର ପ୍ରତିନିଧି ଏଥିରେ ନଥିବା କଥା ମଧ୍ୟ ସାମ୍ନାକୁ ଆସିଛି। କିଛି ବରିଷ୍ଠ ସେବକଙ୍କ ମତ ଅନୁସାରେ ଯେଉଁମାନେ ମହାପ୍ରଭୁଙ୍କ ପାଳି ଓ ସେବାପୂଜା ସହ ପ୍ରତ୍ୟକ୍ଷ ଭାବେ ଜଡିତ, ସେମାନଙ୍କୁ ବୈଠକରେ ସାମିଲ କରାଯିବା ଆବଶ୍ୟକ। ନହେଲେ ଯେତେ ବୈଠକ କରାଗଲେ ମଧ୍ୟ ଠାକୁରଙ୍କ ନୀତି ଶୃଙ୍ଖଳାରେ ଆଶାକରା ସୁଧାର ଆସିବା କଠିନ ବୋଲି ସେମାନେ ମତ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *