ନ୍ୟୁଜ ଡେକ୍ସ : ରାଜ୍ୟରେ ଓଏଏସ୍ (କନିଷ୍ଠ ବର୍ଗ) ଏବଂ ଓଆରଏସ୍ ଅଧିକାରୀମାନଙ୍କ ବିରୋଧରେ ଚାଲିଥିବା ଶୃଙ୍ଖଳାଗତ ମାମଲାର ବକେୟା ତଦନ୍ତ ରିପୋର୍ଟଗୁଡିକୁ ଶୀଘ୍ର ଦାଖଲ କରିବା ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ଏହା ସମ୍ପର୍କରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢୀ ସମସ୍ତ ସମ୍ପୃକ୍ତ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି।
ଏହି ଚିଠିରେ ପୁରୀ, ସମ୍ବଲପୁର, ସୁବର୍ଣ୍ଣପୁର ଓ କନ୍ଧମାଳ ଜିଲ୍ଲାର ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ମାନଙ୍କୁ ସହିତ ଜିଲ୍ଲା ପରିଷଦମାନଙ୍କର ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ଆରଡିସି କଟକ ଏବଂ ଆରଡିସି ସମ୍ବଲପୁରଙ୍କ ସଚିବଙ୍କୁ ବକେୟା ତଦନ୍ତ ରିପୋର୍ଟ ଶୀଘ୍ର ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।ସରକାରଙ୍କ ପୂର୍ବ ନିର୍ଦ୍ଦେଶ ଅନୁସାରେ ତଦନ୍ତକାରୀ ଅଧିକାରୀ ନିଯୁକ୍ତି ହେବାରୁ ୯୦ ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ କୁହାଯାଇଥିଲା। କିନ୍ତୁ କେତେକ ମାମଲାରେ ଏପର୍ଯ୍ୟନ୍ତ ତଦନ୍ତ ରିପୋର୍ଟ ଦାଖଲ ହୋଇନଥିବାରୁ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାରେ ଅନାବଶ୍ୟକ ବିଳମ୍ବ ହେଉଛି। ଏହି ପରିସ୍ଥିତିକୁ ଦେଖି ସମସ୍ତ ବକେୟା ମାମଲାକୁ ପ୍ରାଥମିକତା ଆଧାରରେ ତଦନ୍ତ କରି ଏକ ମାସ ମଧ୍ୟରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ରାଜସ୍ୱ ବିଭାଗ ପକ୍ଷରୁ କୁହାଯାଇଛି। ଏହା ସହ ୩୧ ମାର୍ଚ୍ଚ ୨୦୨୬ ପୂର୍ବରୁ ସମସ୍ତ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ଡ. ଅରବିନ୍ଦ ପାଢୀ ନିର୍ଦ୍ଦେଶ ଦେଇଛନ୍ତି।
ଚିଠିରେ ଆହୁରି ସ୍ପଷ୍ଟ କରାଯାଇଛି ଯେ ଯଦି ତଦନ୍ତକାରୀ ଅଧିକାରୀଙ୍କ ଦ୍ୱାରା କୌଣସି ପ୍ରକାର ଅବହେଳା କିମ୍ବା ନିୟମ ଖିଲାପ ହୁଏ, ତେବେ ସେହି ମାମଲାକୁ ସରକାରଙ୍କ ଦୃଷ୍ଟିଗୋଚରକୁ ଆଣାଯିବ ଏବଂ ସମ୍ପୃକ୍ତ ତଦନ୍ତକାରୀ ଅଧିକାରୀଙ୍କ ବିରୋଧରେ ଆବଶ୍ୟକୀୟ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ।ଏଥିସହ ସମସ୍ତ ଜିଲ୍ଲାପାଳଙ୍କୁ ମଧ୍ୟ ଏହି ମାମଲାଗୁଡିକର ନିୟମିତ ସମୀକ୍ଷା କରିବା ସହ ସରକାରୀ ନିର୍ଦ୍ଦେଶର ସଠିକ୍ ପାଳନ ସୁନିଶ୍ଚିତ କରିବାକୁ ପରାମର୍ଶ ଦିଆଯାଇଛି। ଏହି ପଦକ୍ଷେପ ମାଧ୍ୟମରେ ବକେୟା ତଦନ୍ତ ମାମଲାଗୁଡିକୁ ଶୀଘ୍ର ସମାଧାନ କରି ପ୍ରଶାସନିକ ଶୃଙ୍ଖଳାକୁ ଆହୁରି ସୁଦୃଢ଼ କରିବା ଉଦ୍ଦେଶ୍ୟ ରହିଛି।

