ନ୍ୟୁଜ ଡେକ୍ସ : ଭୁବନେଶ୍ୱରର ଦୀର୍ଘଦିନର ଟ୍ରାଫିକ ସମସ୍ୟାକୁ ନେଇ ସରକାର ଏବେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏକ ଉଚ୍ଚସ୍ତରୀୟ ବୈଠକରେ ଭୁବନେଶ୍ୱରର ଟ୍ରାଫିକ ଭିଡ଼ କମାଇବା ସହିତ ନିର୍ମାଣ କାମକୁ ତ୍ୱରାନ୍ବିତ କରିବା ପାଇଁ ୫ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଆସନ୍ତା ୧୫ ଦିନ ମଧ୍ୟରେ ଏହି ସମସ୍ତ ନୂଆ ନିୟମ ଓ ସଂଶୋଧନ ଲାଗୁ ହେବ ବୋଲି ସୂଚନା ମିଳିଛି।ବୈଠକରେ ନିର୍ଣ୍ଣୟ ହୋଇଛି ଯେ ରାଜ୍ୟରେ ନିର୍ମାଣ ସାମଗ୍ରୀ, ଶ୍ରମିକ ମଜୁରୀ ଓ ଯନ୍ତ୍ରପାତି ପାଇଁ ସମାନ ଦର ଲାଗୁ କରାଯିବ।
ଏହି ପଦକ୍ଷେପ ଦ୍ୱାରା ନିର୍ମାଣ କାମରେ ଅନିୟମିତତା କମିବ ଓ ସମସ୍ତ ସ୍ଥାନରେ ଏକେ ଦର ବ୍ୟବସ୍ଥା ରହିବ। ଆସନ୍ତା ୧୫ ଦିନ ମଧ୍ୟରେ ସଂଶୋଧିତ ଦର ତାଲିକାକୁ ମଞ୍ଜୁର କରାଯିବ।ଏହା ସହିତ ଟେଣ୍ଡର ପ୍ରକ୍ରିୟାରେ ବଡ଼ ଧରଣର ପ୍ରଶାସନିକ ସଂସ୍କାର ଆଣାଯିବ। ପ୍ରତିଟି ସ୍ତରରେ ଟେଣ୍ଡର ମଞ୍ଜୁର କରିବା ପାଇଁ ଏକ ନିର୍ଦ୍ଦିଷ୍ଟ ସମୟ ସୀମା ଧାର୍ଯ୍ୟ କରାଯିବ, ଯାହା ଦ୍ୱାରା ପ୍ରକଳ୍ପଗୁଡ଼ିକ ଶୀଘ୍ର ସମାପ୍ତ ହେବ। ଭୁବନେଶ୍ୱରର ଟ୍ରାଫିକ ଭିଡ଼ କମାଇବା ପାଇଁ ଜୟଦେବ ବିହାରରୁ ନନ୍ଦନକାନନ ପର୍ଯ୍ୟନ୍ତ ସମାନ୍ତରାଳ ରାସ୍ତା ନିର୍ମାଣ କାମକୁ ପ୍ରାଥମିକତା ଭିତ୍ତିରେ ସମାପ୍ତ କରିବାକୁ ନିଷ୍ପତ୍ତି ହୋଇଛି।
ଏହି ରାସ୍ତା ସରିଲେ ରାଜଧାନୀର ଯାତାୟାତ ବ୍ୟବସ୍ଥାରେ ଦୃଶ୍ୟମାନ ସୁଧାର ଆସିବ।ଏଥିସହ ରାଜ୍ୟରେ ରାସ୍ତା ନିର୍ମାଣ ଓ ଗବେଷଣାକୁ ଉନ୍ନତ କରିବା ପାଇଁ ଏକ ସ୍ୱତନ୍ତ୍ର ପ୍ରତିଷ୍ଠାନ ‘Odisha Road Research Institute’ ସ୍ଥାପନ କରାଯିବ। ଏହି ପ୍ରତିଷ୍ଠାନ ରାସ୍ତା ନିର୍ମାଣର ନୂତନ ପ୍ରଯୁକ୍ତି ଓ ଗୁଣମାନ ଉପରେ ଗବେଷଣା କରିବ।ଅନ୍ୟପଟେ ମାର୍ଚ୍ଚ ୩୧ ପୂର୍ବରୁ ସମସ୍ତ ବିଭାଗୀୟ ଖର୍ଚ୍ଚ ଲକ୍ଷ୍ୟ ପୂରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଭିନ୍ନ ଡିଭିଜନରେ ବାକି ରହିଥିବା ବିଲ୍ଗୁଡ଼ିକୁ ମଧ୍ୟ ଖୁବଶୀଘ୍ର ପଇଠ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।

