ନ୍ୟୁଜ ଡେକ୍ସ : ବିଧାନସଭାରେ ଚାଲୁଥିବା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟର ପଞ୍ଚମ ଦିନ ଆଜି। ଗତକାଲି ପରି ଆଜି ମଧ୍ୟ ବିରୋଧୀ ଦଳ ପକ୍ଷରୁ ଗ୍ୟାସ ଦର ବୃଦ୍ଧି ପ୍ରସଙ୍ଗକୁ ନେଇ ଗୃହରେ ହୋହଲ୍ଲା ହେବାର ସମ୍ଭାବନା ରହିଛି। ପ୍ରଶ୍ନ କାଳ ଓ ଶୁନ୍ୟକାଳରେ ବିରୋଧୀ ଦଳ ଶାସକ ଦଳକୁ ଏହି ମୁଦ୍ଦାରେ ଘେରି ପାରନ୍ତି ବୋଲି ଅନୁମାନ କରାଯାଉଛି।
ଆଜି ଗୃହରେ ବିଦ୍ୟାଳୟ ଓ ଗଣଶିକ୍ଷା, ଉଚ୍ଚ ଶିକ୍ଷା, ଶିଳ୍ପ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ, କ୍ରୀଡା ଓ ଯୁବକଲ୍ୟାଣ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ରହିଛି।ଏହାସହ ଶିଳ୍ପ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ସମ୍ପର୍କୀୟ ଖର୍ଚ୍ଚ ଦାବି ଉପରେ ଆଲୋଚନା ହେବାକୁ ଥିବାବେଳେ ଏହାକୁ ନେଇ ଗୃହରେ ଚର୍ଚ୍ଚା ଜୋରଦାର ହେବାର ସମ୍ଭାବନା ରହିଛି।
ସେହିପରି ଶୁନ୍ୟକାଳରେ ଉଭୟ ଶାସକ ଓ ବିରୋଧୀ ଦଳ ପକ୍ଷରୁ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଯିବ। ଏପଟେ କଂଗ୍ରେସ ଦଳର କିଛି ବିଧାୟକ ବେଙ୍ଗାଲୁରୁ ଯାଇଥିବା ସୂଚନା ମିଳିଛି। ଏହା ପରିସ୍ଥିତିରେ ବାକି ବିଧାୟକମାନେ ଗୃହକୁ ଉପସ୍ଥିତ ହେବେ କି ନାହିଁ, ସେଥିପାଇଁ ସମସ୍ତଙ୍କ ନଜର ରହିଛି। ଆଜିର କାର୍ଯ୍ୟବିଧି କେତେ ହଦ ପର୍ଯ୍ୟନ୍ତ ସୁଚାରୁ ଭାବେ ଚାଲିବ, ତାହା ଦେଖିବାକୁ ଅପେକ୍ଷା ରହିଛି।

