Sun. Apr 19th, 2026

ନ୍ୟୁଜ ଡେକ୍ସ : ବିଶ୍ୱବ୍ୟାପୀ ଯୁଦ୍ଧ ପରିସ୍ଥିତି ଓ ଶକ୍ତି ସଙ୍କଟ ମଧ୍ୟରେ ଭାରତ ପାଇଁ ଏକ ଆଶ୍ବସ୍ତିକର ଖବର ସାମ୍ନାକୁ ଆସିଛି। ଇସ୍ରାଏଲ ଓ ଆମେରିକା ସହ ଚାଲିଥିବା ଉତ୍ତେଜନା ମଧ୍ୟରେ ଇରାନ ଏବେ ଭାରତୀୟ ଜାହାଜଗୁଡ଼ିକୁ ଷ୍ଟ୍ରେଟ୍ ଅଫ୍ ହୋର୍ମୁଜ୍ ଦେଇ ଯାତାୟାତ କରିବାକୁ ଅନୁମତି ଦେଇଛି। ବିଶ୍ୱ ବଜାରରେ ତେଲ ଓ ଗ୍ୟାସ ସଙ୍କଟ ବୃଦ୍ଧି ପାଉଥିବା ସମୟରେ ଇରାନର ଏହି ସବୁଜ ସଙ୍କେତ ଭାରତ ପାଇଁ ବଡ଼ ଆଶ୍ବସ୍ତି ବୋଲି କୁହାଯାଉଛି।

ମିଳିଥିବା ସୂଚନା ଅନୁସାରେ ଇରାନ ସରକାର ଭାରତୀୟ ତେଲ ଟ୍ୟାଙ୍କରଗୁଡ଼ିକୁ ସୁରକ୍ଷିତ ଯାତାୟାତ ପାଇଁ ଭରସା ଦେଇଛନ୍ତି। ପୂର୍ବରୁ ଇରାନ ଏହି ରାସ୍ତା ଦେଇ ଯାଉଥିବା କିଛି ଜାହାଜକୁ ଚେତାବନୀ ଦେଇଥିଲା। କିନ୍ତୁ ଭାରତ ସହ ମିତ୍ରତାକୁ ଦୃଷ୍ଟିରେ ରଖି ଏହି ନୂତନ ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି।ଏପଟେ ସମୁଦ୍ର ମାର୍ଗରେ ଅସୁରକ୍ଷା ମଧ୍ୟ ବଢ଼ିଛି। ଗତ ବୁଧବାର ମୟୂରୀ ନାରୀ ନାମକ ଏକ ଥାଇଲାଣ୍ଡ ମାଲବାହୀ ଜାହାଜ ଉପରେ ରକେଟ୍ ଆକ୍ରମଣ ହୋଇଥିଲା। ଏହି ଜାହାଜଟି ୟୁଏଇରୁ ଗୁଜରାଟର କାଣ୍ଡଲା ବନ୍ଦରକୁ ଆସୁଥିବା ବେଳେ ଆକ୍ରମଣର ଶିକାର ହୋଇଥିଲା। ଏହା ପରେ ସମୁଦ୍ର ମାର୍ଗରେ ଯାତାୟାତକୁ ନେଇ ଭୟର ବାତାବରଣ ସୃଷ୍ଟି ହୋଇଛି। ସେହିପରି ଦେଶରେ ଗ୍ୟାସ ଓ ତେଲ ଦର ବୃଦ୍ଧି ନେଇ ଲୋକମାନଙ୍କ ମଧ୍ୟରେ ଚିନ୍ତା ବଢ଼ିଛି। ଯୁଦ୍ଧ ପରିସ୍ଥିତି କାରଣରୁ ବିଶ୍ୱ ବଜାରରେ ତେଲ ଦର ଆକାଶଛୁଆଁ ହୋଇଛି।

ଘରୋଇ ଗ୍ୟାସ ସିଲିଣ୍ଡର ପିଛା ୬୦ ଟଙ୍କା ଏବଂ କମର୍ସିଆଲ ସିଲିଣ୍ଡର ପିଛା ୧୧୫ ଟଙ୍କା ବୃଦ୍ଧି ପାଇଛି। ଏହା ସହ ଗ୍ୟାସ ବୁକିଂ ନିୟମରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ବୁକିଂ ସମୟ ସୀମାକୁ ୨୧ ଦିନରୁ ବଢ଼ାଇ ୨୫ ଦିନ କରାଯାଇଥିବାରୁ ସାଧାରଣ ଲୋକଙ୍କ ମଧ୍ୟରେ ଆଶଙ୍କା ବଢ଼ିଛି।ତେବେ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଦେଶରେ ତେଲ ଓ ଗ୍ୟାସର ପର୍ଯ୍ୟାପ୍ତ ସ୍ଟକ ରହିଛି ଓ କୌଣସି ଅଭାବ ହେବ ନାହିଁ। ତେଣୁ ଗୁଜବରେ ବିଶ୍ୱାସ ନକରିବାକୁ ଲୋକଙ୍କୁ ଅନୁରୋଧ କରାଯାଇଛି। ଇରାନର ଏହି ନିଷ୍ପତ୍ତି ପରେ ଭାରତ ପାଇଁ ତେଲ ଆମଦାନୀ କରିବାରେ କିଛି ସହଜତା ଆସିବ ବୋଲି ମନେ କରାଯାଉଛି। ତଥାପି ଲଗାତାର ବଢ଼ୁଥିବା ଦରବୃଦ୍ଧିରୁ ସାଧାରଣ ଲୋକଙ୍କୁ କେବେ ରାହାତ ମିଳିବ, ସେଥିପାଇଁ ପ୍ରଶ୍ନ ଉଠୁଛି।

Leave a Reply

Your email address will not be published. Required fields are marked *