Sun. Apr 19th, 2026

ନ୍ୟୁଜ ଡେକ୍ସ : ଦେଶବ୍ୟାପୀ ଏଲପିଜି ସିଲିଣ୍ଡର ଅଭାବ ମଧ୍ୟରେ ଦେଶବାସୀଙ୍କ ପାଇଁ ଆସିଛି ଏକ ବଡ଼ ଆଶାର ସମ୍ବାଦ। ଭାରତୀୟ ଏଲପିଜି କାର୍ଗୋ ଜାହାଜ ‘ଶିବାଲିକ୍’ ପ୍ରାୟ ୪୫,୦୦୦ ମେଟ୍ରିକ୍ ଟନ୍ ଏଲପିଜି ନେଇ ଗୁଜୁରାଟର ମୁନ୍ଦ୍ରା ବନ୍ଦରରେ ସୁରକ୍ଷିତ ଭାବେ ପହଞ୍ଚିଛି। ମଧ୍ୟପ୍ରାଚ୍ୟର ଯୁଦ୍ଧ ପରିସ୍ଥିତି ସତ୍ତ୍ୱେ ହର୍ମୁଜ୍ ପ୍ରଣାଳୀ ଅତିକ୍ରମ କରି ଏହି ଜାହାଜ ଭାରତ ଉପକୂଳକୁ ଆସିପହଞ୍ଚିବାରୁ ଇନ୍ଧନ ଯୋଗାଣରେ ସ୍ଥିରତା ଆସିବ ବୋଲି ଆଶା କରାଯାଉଛି।

ଜାହାଜ ଚଳାଚଳ ମନ୍ତ୍ରଣାଳୟ ଏହି ସୂଚନା ଦେଇ କହିଛି ଯେ, ଯୁଦ୍ଧଗ୍ରସ୍ତ ଅଞ୍ଚଳରେ ବିଶେଷତଃ ହର୍ମୁଜ୍ ପ୍ରଣାଳୀ ପାଖରେ ଏବେମଧ୍ୟ ୨୨ଟି ଜାହାଜ ଫସି ରହିଛି। ତଥାପି, ୟୁଏଇରୁ ଅଶୋଧିତ ତୈଳ ନେଇ ଆସୁଥିବା ‘ଜଗ୍ ଲାଡକି’ ଜାହାଜ ମଧ୍ୟ ସୁରକ୍ଷିତ ଭାବେ ଭାରତ ଅଭିମୁଖେ ଆସୁଛି ଏବଂ ଆସନ୍ତାକାଲି ମୁନ୍ଦ୍ରା ବନ୍ଦରରେ ପହଞ୍ଚିବ। ଏହାସହ ଏଲପିଜି ବୋଝାଇ ଆସୁଥିବା ‘ନନ୍ଦା ଦେବୀ’ ଜାହାଜ ପ୍ରାୟ ୪୭,୭୦୦ ମେଟ୍ରିକ୍ ଟନ୍ ଗ୍ୟାସ୍ ସହ କାଣ୍ଡଲା ବନ୍ଦରକୁ ପହଞ୍ଚିବାକୁ ଯାଉଛି। ଏପରି ସମୟରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜଣାଯାଇଛି ଯେ, ଇରାନରୁ ୫୫୦ ଜଣ ଭାରତୀୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ସ୍ଥଳ ସୀମା ଦେଇ ସେମାନେ ଆର୍ମେନିଆକୁ ପହଞ୍ଚିଥିବାବେଳେ କିଛି ଲୋକ ଅଜରବାଇଜାନ ମାର୍ଗରେ ଭାରତକୁ ଫେରୁଛନ୍ତି।

ତେହେରାନରେ ଥିବା ଭାରତୀୟ ଦୂତାବାସ ଭିସା ଓ ଅନ୍ୟାନ୍ୟ ପ୍ରବାସନ ସହଯୋଗ ଯୋଗାଇ ସେମାନଙ୍କୁ ସହାୟତା କରିଛି।ଏହାସହ ଗତ କିଛି ଦିନରେ ଏହି ଅଞ୍ଚଳରୁ ପ୍ରାୟ ୨୦,୦୦୦ ଭାରତୀୟ ଦେଶକୁ ଫେରିଥିବା ସୂଚନା ମିଳିଛି। ସାଉଦି ଆରବ ସହିତ ଅନ୍ୟାନ୍ୟ ଦେଶରୁ ବିଭିନ୍ନ ବିମାନବନ୍ଦର ମାଧ୍ୟମରେ ଭାରତକୁ ନିୟମିତ ଭାବେ ବିମାନ ଚଳାଚଳ ଜାରି ରହିଛି। ଏହି ପଦକ୍ଷେପଗୁଡ଼ିକ ଦେଶର ଇନ୍ଧନ ଓ ନାଗରିକ ସୁରକ୍ଷା ପରିଚାଳନାରେ ଏକ ମୁଖ୍ୟ ଭୂମିକା ନିଭାଉଛି।

Leave a Reply

Your email address will not be published. Required fields are marked *