Sun. Apr 19th, 2026

ନ୍ୟୁଜ ଡେକ୍ସ : ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ପରିସ୍ଥିତି ଯୋଗୁ ହରମୁଜ୍ ଜଳମାର୍ଗରେ ଗ୍ୟାସ ଓ ତୈଳ ଯୋଗାଣ ଗୁରୁତର ଭାବେ ପ୍ରଭାବିତ ହୋଇଥିଲା। ଏହାର ପ୍ରଭାବ ବିଶ୍ୱବ୍ୟାପୀ ଭାବେ ଏଲପିଜି ଗ୍ୟାସ ଯୋଗାଣ ଉପରେ ପଡ଼ିଥିବା ବେଳେ ଭାରତ ମଧ୍ୟ ଏହି ସଙ୍କଟରୁ ଅସ୍ପୃଶ୍ୟ ରହିପାରିନାହିଁ। ଦେଶର ବିଭିନ୍ନ ସ୍ଥାନରେ ଗ୍ୟାସ ଦୋକାନ ସମ୍ମୁଖରେ ଲମ୍ବା ଲାଇନ ଦେଖିବାକୁ ମିଳୁଛି।

ଯୁଦ୍ଧ ପରିସ୍ଥିତି ମଧ୍ୟରେ ଇରାନ ହରମୁଜ୍ ପ୍ରଣାଳୀରେ ଅବରୋଧ ସୃଷ୍ଟି କରିବାରୁ ଅନେକ ଦେଶରେ ତେଲ ଓ ଗ୍ୟାସ ସଙ୍କଟ ଦେଖାଦେଇଛି। ଜାହାଜ ଚଳାଚଳ ବନ୍ଦ ହେବା ଫଳରେ ଭାରତ ସମେତ ଅନେକ ଦେଶ ଏହାର ପ୍ରଭାବ ଅନୁଭବ କରୁଛନ୍ତି। ତଥାପି ଆଲୋଚନା ମାଧ୍ୟମରେ ଭାରତ ପକ୍ଷରୁ ଏକ ସମାଧାନ ମିଳିଥିବା ବେଳେ ଇରାନ ଭାରତୀୟ ପତାକା ବୋହିଥିବା ଜାହାଜଗୁଡ଼ିକୁ କ୍ଲିୟାରାନ୍ସ ଦେଇଛି। ଏହି ପରିସ୍ଥିତିରେ କ୍ୟାପଟେନ୍ ଧୀରଜ କୁମାର ଅଗ୍ରୱାଲଙ୍କ ନେତୃତ୍ୱରେ ‘ନନ୍ଦା ଦେବୀ’ ନାମକ ଜାହାଜ ସଫଳତାର ସହ ହରମୁଜ୍ ଜଳମାର୍ଗ ଅତିକ୍ରମ କରିଛି। ଏହି ଜାହାଜରେ ପ୍ରାୟ ୪୦ ହଜାର ମେଟ୍ରିକ୍ ଟନ୍‌ରୁ ଅଧିକ ରନ୍ଧନ ଗ୍ୟାସ ଓ ଅଶୋଧିତ ତୈଳ ଥିଲା।

ସମୁଦ୍ରରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସତ୍ତ୍ୱେ କ୍ୟାପଟେନଙ୍କ ଧୈର୍ଯ୍ୟ ଓ ଦୂରଦର୍ଶୀ ରଣନୀତି ଯୋଗୁଁ ଜାହାଜଟି ସୁରକ୍ଷିତ ଭାବେ ଗନ୍ତବ୍ୟସ୍ଥଳକୁ ପହଞ୍ଚିପାରିଛି।ସୂଚନାଯୋଗ୍ୟ ଯେ କ୍ୟାପଟେନ୍ ଧୀରଜ ଓଡ଼ିଶାର ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜି ଅଞ୍ଚଳର ୩୪ ବର୍ଷୀୟ ଯୁବକ। ସ୍ବର୍ଗୀୟ ରମେଶ ଛାପଡିୟାଙ୍କ ବଡ଼ ପୁଅ ଭାବେ ତାଙ୍କର ଏହି ସାହସିକ କାର୍ଯ୍ୟ ପରିବାର ସହ ଅଞ୍ଚଳ ପାଇଁ ଗୌରବ ଆଣିଛି। ବର୍ତ୍ତମାନ ସୋସିଆଲ ମିଡିଆରେ କ୍ୟାପଟେନ୍ ଧୀରଜ ଓ ‘ନନ୍ଦା ଦେବୀ’ ଜାହାଜ ନେଇ ବ୍ୟାପକ ଚର୍ଚ୍ଚା ଚାଲିଛି।

Leave a Reply

Your email address will not be published. Required fields are marked *