ନ୍ୟୁଜ ଡେକ୍ସ : କେନ୍ଦ୍ର କ୍ୟାବିନେଟ ବୈଠକରେ ଆଜି ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ସେଥିମଧ୍ୟରୁ ଭାରତ ଶିଳ୍ପ ବିକାଶ ଯୋଜନା ‘ଭାବ୍ୟ’ (BHAVYA)କୁ ମଞ୍ଜୁରୀ ମିଳିଥିବା ଗୁରୁତ୍ୱ ଅଧିକ। ପୂର୍ବରୁ ବଜେଟରେ ଘୋଷିତ ଏହି ଯୋଜନା ଅଧୀନରେ ସାରା ଦେଶରେ ୧୦୦ଟି ଶିଳ୍ପ କ୍ଲଷ୍ଟର ସୃଷ୍ଟି କରାଯିବ। ଏହି କ୍ଲଷ୍ଟରଗୁଡ଼ିକ ପ୍ଲଗ୍-ଏଣ୍ଡ-ପ୍ଲେ ମଡେଲରେ ତିଆରି ହେବ, ଯେଉଁଠାରେ ରାସ୍ତା, ବିଦ୍ୟୁତ୍ ଓ ପାଣି ପରି ମୂଳ ଢାଞ୍ଚାଗତ ସୁବିଧା ପୂର୍ବରୁ ଉପଲବ୍ଧ ରହିବ।
ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, ଏହି ଯୋଜନା ପାଇଁ ପ୍ରାୟ ୩୩,୬୬୦ କୋଟି ଟଙ୍କା ଖର୍ଚ୍ଚ ହେବ। ଏହା ମାଧ୍ୟମରେ ଭାରତକୁ ଆତ୍ମନିର୍ଭର କରିବା ସହ ‘ମେକ୍ ଇନ୍ ଇଣ୍ଡିଆ’କୁ ଆହୁରି ଶକ୍ତିଶାଳୀ କରାଯିବ। ବିଶ୍ୱବ୍ୟାପୀ ଭାରତୀୟ ଉତ୍ପାଦନକୁ ପ୍ରୋତ୍ସାହନ ଦେବା ଏହାର ମୁଖ୍ୟ ଲକ୍ଷ୍ୟ।ଏହି ଯୋଜନା ମାଧ୍ୟମରେ ଦେଶରେ ନୂତନ ଶିଳ୍ପ କ୍ଷେତ୍ର ଗଢ଼ିଉଠିବା ସହ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଗୁଡ଼ିକୁ ବଡ଼ ସହାୟତା ମିଳିବ। ଉତ୍ପାଦନ ବୃଦ୍ଧି ହେବାରୁ ଯୁବମାନଙ୍କ ପାଇଁ ନୂତନ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହେବ। ଶିଳ୍ପଗୁଡ଼ିକୁ ଉତ୍ତମ ଢାଞ୍ଚା, ଆଧୁନିକ ପ୍ରଯୁକ୍ତି ଓ ସୁଲଭ ଋଣ ମଧ୍ୟ ଯୋଗାଇ ଦିଆଯିବ।
ଏହା ସହ କେନ୍ଦ୍ର କ୍ୟାବିନେଟ ବିଦେଶୀ ଅବଦାନ (ନିୟନ୍ତ୍ରଣ) ଆଇନ ସଂଶୋଧନ ବିଲ୍, ଅର୍ଥାତ୍ FCRA ସଂଶୋଧନ ବିଲ୍କୁ ମଧ୍ୟ ଅନୁମୋଦନ କରିଛି। ଏହି ସଂଶୋଧନର ଉଦ୍ଦେଶ୍ୟ ହେଉଛି ଦେଶର ଅଣ-ସରକାରୀ ସଂଗଠନଗୁଡ଼ିକ ପାଖକୁ ଆସୁଥିବା ବିଦେଶୀ ଅର୍ଥ ସହାୟତାରେ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ବୃଦ୍ଧି କରିବା।ନୂତନ ସଂଶୋଧନ ମାଧ୍ୟମରେ ବିଦେଶୀ ପାଣ୍ଠି ପରିଚାଳନା ନିୟମକୁ ଆହୁରି କଡ଼ା କରାଯିବା ସହ ନିରୀକ୍ଷଣ ବ୍ୟବସ୍ଥାକୁ ଶକ୍ତ କରାଯିବ ବୋଲି କେନ୍ଦ୍ର ସରକାର ସୂଚନା ଦେଇଛନ୍ତି।

