Thu. Apr 16th, 2026

ନ୍ୟୁଜ ଡେକ୍ସ : ଭାରତୀୟ ମହିଳା କ୍ରିକେଟ ଦଳ ଗତ କିଛି ବର୍ଷ ମଧ୍ୟରେ ଅନେକ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ୨୦୨୫ ମସିହାରେ ପ୍ରଥମ ଥର ପାଇଁ ICC ମହିଳା ଏକଦିବସୀୟ ବିଶ୍ୱକପ୍ ଜିତି ଇତିହାସ ରଚିଥିବା ଭାରତୀୟ ଦଳର ସଫଳତା ଏବେ ଶିକ୍ଷା କ୍ଷେତ୍ରରେ ମଧ୍ୟ ପ୍ରତିଫଳିତ ହେଉଛି।

ଭାରତୀୟ ମହିଳା ଦଳର ଷ୍ଟାର ବ୍ୟାଟସମ୍ୟାନ୍ ସ୍ମୃତି ମନ୍ଧାନାଙ୍କ ଉପରେ ଏକ ଅଧ୍ୟାୟ ବର୍ତ୍ତମାନ ପଞ୍ଚମ ଶ୍ରେଣୀ ପାଠ୍ୟପୁସ୍ତକର ଅଂଶ ହୋଇଛି।Rediff.com ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଓରିଏଣ୍ଟ ବ୍ଲାକ୍ ସ୍ୱାନ୍ ପ୍ରକାଶନୀ ଦ୍ୱାରା ପ୍ରକାଶିତ ଏହି ପୁସ୍ତକରେ ବିଜ୍ଞାନ, ସାମାଜିକ ଅଧ୍ୟୟନ ଓ ସାଧାରଣ ଜ୍ଞାନ ସହିତ ବିଭିନ୍ନ ବିଷୟ ଅନ୍ତର୍ଭୁକ୍ତ ଅଛି। ଏହି ପାଠ୍ୟପୁସ୍ତକ ମାଧ୍ୟମରେ ସ୍କୁଲ ଛାତ୍ରଛାତ୍ରୀମାନେ ଭାରତୀୟ ମହିଳା କ୍ରିକେଟରମାନଙ୍କ ସଫଳତା ଓ ଯାତ୍ରା ବିଷୟରେ ଜାଣିପାରିବେ। ସ୍ମୃତି ମନ୍ଧାନା ବର୍ତ୍ତମାନ ଭାରତର ସବୁଠାରୁ ପ୍ରତିଭାଶାଳୀ ମହିଳା କ୍ରିକେଟରମାନଙ୍କ ମଧ୍ୟରୁ ଜଣେ ଭାବେ ପରିଚିତ।

ସେ ୨୦୨୫ ମସିହାରେ ପ୍ରଥମ ODI ବିଶ୍ୱକପ୍ ଜିତିଥିବା ଭାରତୀୟ ମହିଳା ଦଳର ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ଥିଲେ। ବାମହାତୀ ଏହି ଓପନର ଟୁର୍ଣ୍ଣାମେଣ୍ଟରେ ଭାରତ ପାଇଁ ସର୍ବାଧିକ ରନ୍ କରିଥିଲେ। ସେ ନଅଟି ଇନିଂସରେ ୫୪.୨୫ ହାରାହାରି ଏବଂ ୯୯.୦୯ ଷ୍ଟ୍ରାଇକ୍ ରେଟ୍ ସହିତ ମୋଟ ୪୩୪ ରନ୍ ସଂଗ୍ରହ କରିଥିଲେ।ପଞ୍ଚମ ଶ୍ରେଣୀର ଏହି ଅଧ୍ୟାୟରେ ଜଣେ ଶିଶୁର କାହାଣୀ ମାଧ୍ୟମରେ ସ୍ମୃତି ମନ୍ଧାନାଙ୍କ ସଫଳତା ଓ ତାଙ୍କ ଯାତ୍ରା ବିଷୟରେ ଉଲ୍ଲେଖ କରାଯାଇଛି। ଏଥିରେ ତାଙ୍କର ଅନ୍ତର୍ଜାତୀୟ କ୍ରିକେଟ ଜୀବନ, ମହିଳା ବିଗ୍ ବ୍ୟାସ୍ ଲିଗ୍‌ରେ ତାଙ୍କ ସମ୍ପୃକ୍ତି ଓ ପାରିବାରିକ ପୃଷ୍ଠଭୂମି ସମ୍ପର୍କରେ ବିସ୍ତୃତ ଆଲୋଚନା ରହିଛି। ଏହି ଅଧ୍ୟାୟରେ ଭାରତୀୟ ମହିଳା ଦଳର ଅଧିନାୟକ ହରମନପ୍ରୀତ କୌର, ପୂର୍ବତନ ଭାରତୀୟ ଅଧିନାୟକ ରାହୁଲ ଦ୍ରାବିଡ ଏବଂ ପୂର୍ବତନ ଶ୍ରୀଲଙ୍କା ୱିକେଟକିପର-ବ୍ୟାଟସମ୍ୟାନ କୁମାର ସାଙ୍ଗାକାରାଙ୍କ ଭଳି କ୍ରିକେଟ ଦିଗଗଜଙ୍କ ବିଷୟରେ ମଧ୍ୟ ଉଲ୍ଲେଖ ରହିଛି।

ଏହାକୁ ଭାରତୀୟ ମହିଳା କ୍ରିକେଟ ପାଇଁ ଏକ ବଡ଼ ସଫଳତା ଭାବେ ଦେଖାଯାଉଛି।ସମ୍ପ୍ରତି ଅଷ୍ଟ୍ରେଲିଆ ବିରୋଧରେ ହୋଇଥିବା ସିରିଜରେ ମଧ୍ୟ ସ୍ମୃତି ମନ୍ଧାନା ଉତ୍କୃଷ୍ଟ ପ୍ରଦର୍ଶନ କରିଥିଲେ। ଟି-୨୦ ସିରିଜରେ ସେ ସର୍ବାଧିକ ରନ୍ କରିଥିବା ବ୍ୟାଟସମ୍ୟାନ୍ ଥିଲେ। ତିନୋଟି ଇନିଂସରେ ସେ ୬୪.୫୦ ହାରାହାରି ଓ ୧୩୪.୩୭ ଷ୍ଟ୍ରାଇକ୍ ରେଟ୍ ସହିତ ୧୨୯ ରନ୍ କରିଥିଲେ। ଆଡିଲେଡ୍‌ରେ ଖେଳାଯାଇଥିବା ତୃତୀୟ ମ୍ୟାଚ୍‌ରେ ସେ ମାତ୍ର ୫୫ ବଲ୍‌ରେ ୮୨ ରନ୍ କରି ଦମଦାର ପାରି ଖେଳିଥିଲେ।କ୍ୟାରିୟର ଦୃଷ୍ଟିରୁ ମନ୍ଧାନା ଏପର୍ଯ୍ୟନ୍ତ ୮ଟି ଟେଷ୍ଟ, ୧୨୦ଟି ଏକଦିବସୀୟ ଓ ୧୬୦ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି। ଟେଷ୍ଟରେ ସେ ୪୮.୮୪ ହାରାହାରିରେ ୬୩୫ ରନ୍, ଏକଦିବସୀୟରେ ୪୭.୮୮ ହାରାହାରିରେ ୫,୪୧୧ ରନ୍ ଏବଂ ଟି-୨୦ରେ ୩୦.୪୩ ହାରାହାରିରେ ୪,୨୩୧ ରନ୍ ସଂଗ୍ରହ କରିଛନ୍ତି। ତାଙ୍କ ନାମରେ ଅନେକ ଶତକ ଓ ଅର୍ଦ୍ଧଶତକ ମଧ୍ୟ ରହିଛି।

Leave a Reply

Your email address will not be published. Required fields are marked *